ନୂଆ ପର୍ଯ୍ୟାୟରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ଗାଜାରୁ ଲେବାନନ୍‌କୁ ମୁହାଁଇଲେ ଇସ୍ରାଏଲୀ ସୈନ୍ୟ

ବେରୁଟ୍‌/ଜେରୁଜେଲମ୍‌,୨୦ା୯:ଲଗାତର ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ୍‌ ଥରି ଉଠିଥିବାବେଳେ ଗୁରୁବାର ଇସ୍ରାଏଲ୍‌ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ କରାଯାଇଛି। ଇସ୍ରାଏଲୀ ସେନା ଯୁଦ୍ଧବିମାନରୁ ଲେବାନନ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ୍‌ କରିଛି। ବିଶେଷକରି ଦକ୍ଷିଣ ଲେବାନନ୍‌ର ଚିଚିନେ, ତୟିବେ, ମେଇସ୍‌ ଏଲ୍‌ ଜବାଲ, ଅଇଟାରୋନ୍‌ ଏବଂ କେଫରକେଲା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଖିଆମ୍‌ସ୍ଥିତ ହେଜ୍‌ବୋଲ୍ଲାର ଏକ ଅସ୍ତ୍ରାଗାର ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସଦ୍ୟ ଆକ୍ରମଣରେ କେତେଜଣ ମୃତାହତ ହୋଇଛନ୍ତି ତାହା ଜଣାପଡ଼ିନାହିଁ।

 

ତେବେ ଲେବାନନ୍‌ରୁ କରାଯାଇଥିବା ଆଣ୍ଟି-ଟ୍ୟାଙ୍କ ମିଶାଇଲ୍‌ ଆକ୍ରମଣରେ ଅନେକ ଇସ୍ରାଏଲୀ ଆହତ ହୋଇଥିବା ଇସ୍ରାଏଲ୍‌ କହିଛି। ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ କହିଛନ୍ତି, ଯୁଦ୍ଧ ଏକ ନୂଆ ପର୍ଯ୍ୟାୟକୁ ଆଡ଼କୁ ଯାଉଛି। ଉତ୍ତର ସୀମାକୁ ବହୁ ସେନା ୟୁନିଟ୍‌ ଏବଂ ସମ୍ବଳ ପ୍ରେରଣ କରାଯାଉଛି। ଏପରି କି ଗାଜାରେ ଗତବର୍ଷ ଅକ୍ଟୋବରରୁ ଯୁଦ୍ଧ ଚଳାଇଥିବା ସୈନ୍ୟମାନଙ୍କୁ ମଧ୍ୟ ଲେବାନନ୍‌ ସୀମାକୁ ପଠାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ପେଜର ଓ ଓ୍ବାକିଟକି ଭଳି ଯୋଗାଯୋଗ ଉପକରଣ ଜରିଆରେ ଆକ୍ରମଣ ପଛରେ ଇସ୍ରାଏଲ୍‌ର ସ୍ପାଏ ଏଜେନ୍ସି ମୋସାଦ୍‌ର ହାତ ଥିବା କୁହାଯାଉଥିବାବେଳେ ତେଲ୍‌ ଆଭିଭ୍‌ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ୨ ଦିନ ଧରି ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଅଦ୍ୟାବଧି ୩୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩,୦୦୦ରୁ ଊର୍ଦ୍ଧ୍ୱ ଆହତ ହେଲେଣି। ଲେବାନନ୍‌ ପ୍ରଧାନମନ୍ତ୍ରୀ ନଜିବ ମିକାତି ଇସ୍ରାଏଲ୍‌ର ଆକ୍ରମଣ ଏବଂ ‘ମନସ୍ତାତ୍ତ୍ୱିକ ଯୁଦ୍ଧ’ ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରିଛନ୍ତି। ସେପଟେ ହେଜ୍‌ବୋଲ୍ଲା ମଧ୍ୟ ଇସ୍ରାଏଲ୍‌କୁ ଜବାବ ଦେବାକୁ ଯାଇ ଅନେକ ରକେଟ ଛାଡ଼ିଛି। ୨୦୨୩ ଅକ୍ଟୋବର ୭ ପରଠାରୁ ଇସ୍ରାଏଲ୍‌ର ଗାଜା ଆକ୍ରମଣ ଜାରି ରହିଥିବାବେଳେ ହମାସ୍‌ ସମର୍ଥକ ୪୫୦ ହେଜ୍‌ବୋଲ୍ଲା ଫାଇଟର୍ସଙ୍କ ମୃତ୍ୟୁ ଘଟିଲାଣି। ପେଜର ଆକ୍ରମଣରେ ଅନେକ ସଦସ୍ୟଙ୍କୁ ହରାଇଥିବା ଏହି ସଙ୍ଗଠନ ଏବେ ଇସ୍ରାଏଲ୍‌କୁ ଆକ୍ରମଣର ଖୋଲା ଧମକ ଦେଇଛି।

Share