ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ ଯାଜପୁର ଜିଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ କେତେଜଣ ମଧ୍ୟସ୍ଥିଙ୍କ ଜରିଆରେ ଡ୍ରାଇଭିଂ ଟେଷ୍ଟିଂ, ଫିଟନେସ ଆଦି ଯାଞ୍ଚ ପ୍ରକ୍ରିୟାରେ ଦୁର୍ନୀତି ଏବଂ ମନମୁଖୀ କାର୍ଯ୍ୟ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ କର୍ମଚାରୀ ବ୍ୟକ୍ତିଗତ ପାଣ୍ଠି ବଢାଇବାରେ ଲାଗିଛନ୍ତି। ଏହି ମର୍ମରେ ପୂର୍ବରୁ ବାଲିଚନ୍ଦ୍ରପୁର, ଚଣ୍ଡିଖୋଲ ଅଞ୍ଚଳରୁ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ପାରିନାହିଁ। ଏପରି କି ବାଣିଜ୍ୟ ଏବଂ ପରିବହନ ବିଭାଗର ଡେପୁଟି ସେକ୍ରେଟାରୀ କେଶବ ଚନ୍ଦ୍ର ମୁଦୁଲି ଗତ ୨୦ା୩ା୨୦୨୩ରେ କଟକ ପରିବହନ କମିଶନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଁ ତାହା ଚପି ଯାଇଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଏଥିରୁ ଦୁର୍ନୀତିର ଚେର ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
ଜିଲାର ଚଣ୍ଡୀଖୋଲ-ଦୈତାରୀ ଏବଂ ଚଣ୍ଡୀଖୋଲ-ପାରାଦୀପ, ୧୬ନଂ. ଜାତୀୟ ରାଜପଥ କୋଲକତା-ମାଡ୍ରାସ ରାସ୍ତାରେ ପ୍ରାୟ ସବୁବେଳେ ଅଧିକାଂଶ ଅନ୍ଫିଟ ଗାଡ଼ି ଚଳାଚଳ କରୁଛି। ଅଥଚ ସେପରି ଗାଡ଼ି ଜବତ କରାଯାଉନାହିଁ। ଫିଟ୍ନେସ ଆଳରେ ପ୍ରତ୍ୟେକ ଗାଡ଼ିରୁ ଦୈନିକ ପ୍ରାୟ ୬୦ ହଜାର ଟଙ୍କା ଆଦାୟ କରାଯାଉଛି। ରେଜିଷ୍ଟ୍ରେଶନ, ଫିଟନେସ, ଟ୍ୟାକ୍ସ, ବୀମା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଯାଞ୍ଚବେଳେ ଜଣାପଡିଲେ ଗାଡ଼ି ଜବତ କରିବାର ନିୟମ ରହିଛି ା କିନ୍ତୁ ସେହି ଗାଡିଗୁଡିକରୁ ଜରିମାନା ଆଦାୟ କରିବା ପରିବର୍ତ୍ତେ ମାସିକ ଚାନ୍ଦାରେ ଅଧିକାରୀ ଓ ମଧ୍ୟସ୍ଥିମାନେ ମାତିଛନ୍ତି। ଦୁର୍ଘଟଣାଜନିତ କୌଣସି ମାମଲା ରୁଜୁ ହେଲେ ବିଭାଗୀୟ ଅଧିକାରୀମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ଘଟଣାକୁ ରଫାଦଫା କରୁଥିବା ଅଭିଯୋଗ ହେଉଛି। ଏପରିସ୍ଥଳେ ସାଧାରଣ ସମ୍ପତ୍ତି କ୍ଷତି ନିରାକରଣ ଆଇନ ୧୯୮୪ କାର୍ଯ୍ୟକାରୀ କରାଯାଉ ନ ଥିବା ତଥା ପରିବହନ ଆଇନକୁ କଡାକଡି ପାଳନ କରାଯାଉ ନ ଥିବାରୁ ସରକାରଙ୍କ ଅନେକ କୋଟି ଟଙ୍କା ରାଜସ୍ବ ହାନୀ ହେଉଛି। ବିଶେଷକରି ମହାବିନାୟକ ଟ୍ରାକ୍ରେ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସମୟରେ ବ୍ୟାପକ ଅନିୟମିତତା ଓ ହରିଲୁଟ ହେଉଥିବା ଦେଖିବାକୁ ମିଳିଛି। ଟେଷ୍ଟିଂ ଆଳରେ ପ୍ରଥମେ ଫେଲ କରିବା ପରେ ପୁଣି ପାସ କରିବାପାଇଁ ପ୍ରତି ଆବେଦନକାରୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ଦୈନିକ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରି ଆରଟିଓଙ୍କୁ ଦିଆଯାଉଛି। ଏଥିପାଇଁ ଟ୍ରାକ୍ରେ କେତେକ ମଧ୍ୟସ୍ଥଙ୍କୁ ବେସରକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ମୋଟର ଭାଇକିଲ ଇନ୍ସପେକ୍ଟର(ଏମ୍ଭିଆଇ) ଓ ସହକାରୀ ଏମ୍ଭିଆଇଙ୍କ ଛତ୍ରଛାୟା ତଳେ ରହି ମଧ୍ୟସ୍ଥିମାନେ କାମ କରୁଛନ୍ତି। ଚଣ୍ଡିଖୋଲର ଏକ କଲେଜରେ ଚତୁଥର୍ର୍ ଶ୍ରେଣୀ ପଦବୀରେ କାମ କରୁଥିବା ଜଣେ କର୍ମଚାରୀ ଏମ୍ଭିଆଇଙ୍କ ଗାଡ଼ି ଚଳେଇ ଥାନ୍ତି। ସେ ବଟି ଆଦାୟରେ ଏମ୍ଭିଆଇଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏମ୍ଭିଆଇ ଏବଂ ସହକାରୀ ଏମ୍ଭିଆଇ ଆଦାୟ ହେଉଥିବା ଅର୍ଥରୁ ପୁଣି ଆରଟିଓଙ୍କୁ ଭାଗ ଦେଇଥାନ୍ତି। ଏପରିକି ଏଠାରେ ବିନା ଟ୍ରାଏଲ ଦେଇ ମଧ୍ୟ ମଧ୍ୟସ୍ଥିଙ୍କ ସହାୟତାରେ ଲାଞ୍ଚଦେଇ ଯେ କୌଣସି ବ୍ୟକ୍ତି ଅନାୟାସରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି । ଏହାସହ ଢେଙ୍କାନାଳର ଜଣେ ବେସରକାରୀ କର୍ମଚାରୀ ଚଣ୍ଡିଖୋଲ ଆରଟିଓରେ ଡାଟା ଏଣ୍ଟ୍ରି ଭାବେ କାମ କରୁଥିବାବେଳେ ତାଙ୍କ ଜରିଆରେ ବେଆଇନ ଚାନ୍ଦା ଆଦାୟ ହେଉଛି। ନୟାଗଡ଼ରୁ ବଦଳି ହୋଇ ଆସିଲାବେଳେ ଆରଟିଓ ସେହି ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସାଙ୍ଗରେ କେଉଁ ଉଦ୍ଦେଶ୍ୟ ନେଇ ଆସିଥିଲେ ତାହା ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି। ଏ ସଂକ୍ରାନ୍ତରେ ଆରଟିଓ ସନ୍ଦୀପ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି ସେଭଳି ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏହି କାର୍ଯ୍ୟାଳୟରେ ସମସ୍ତ କାମ ନୀତିନିୟମ ଅନୁସାରେ ହେଉଛି, କୌଣସି ଦୁର୍ନୀତି ଏବଂ ଲାଞ୍ଚ କାରବାର ହେଉନାହିଁ।