Advertisement

ମଧ୍ୟସ୍ଥ ସାଜି କରୁଛନ୍ତି ଟଙ୍କା ଚଳୁ

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ ଜିଲା କାର୍ଯ୍ୟାଳୟ ହେଉ କି ମୁଖ୍ୟ ଚିକିତ୍ସାଳୟ, ସବୁଠି ଦଲାଲ୍‌ ସକ୍ରିୟ ରହିଛନ୍ତି। ଜିଲା କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ କାର୍ଯ୍ୟ କରାଇଦେବାର ବିଶ୍ୱାସ ଦେଖାଇ ସେମାନଙ୍କ ଠାରୁ ଶତାଧିକ ଟଙ୍କା ଚଳୁ କରୁଛନ୍ତି। ସେହିପରି ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭୂତାଇ ଟଙ୍କା ଠକି ନେଉଥିବା ସାଧାରଣରେ ଅଭିଯୋଗ ହେଉଛି। କିଛିଦିନ ହେଲା ଏସବୁ ସ୍ଥାନରେ ଜଣେ ଦଲାଲ ଏପରି ଡେରା ପକାଇ ଲୋକଙ୍କଠାରୁ ଟଙ୍କା ନେଉଥିବା ଦେଖିବାକୁ ମିଳୁଛି।
ସହର ଉପକଣ୍ଠର ଏହି ଦଲାଲ ଜଣକ ସୋମବାର ହେଲେ ସକାଳୁ ଜିଲା କାର୍ଯ୍ୟାଳୟ ବାହାରେ ଆସି ପହଞ୍ଚିଯାଉଛନ୍ତି। କୌଣସି କାର୍ଯ୍ୟ ପାଇଁ ଜିଲାରୁ କେହି ସାଧାରଣ ଲୋକ ଏଠାକୁ ଆସିଲେ ତାଙ୍କୁ କୌଣସି ଉପାୟରେ କରାୟତ୍ତ କରୁଛନ୍ତି। ହେଉ ନ ଥିବା କାମ କରିଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଦାବି କରୁଛନ୍ତି। କାହାକୁ ଲେବର କାର୍ଡ ତ ଆଉ କାହାକୁ ଭତ୍ତା ମିଳିବ କହି ଟଙ୍କା ଚଳୁ କରୁଛନ୍ତି। ଗାଁ ଗଣ୍ଡାରୁ ଆସୁଥିବା ଲୋକମାନେ ମଧ୍ୟ ଦଲାଲ୍‌ ହାବୁଡ଼ରେ ପଡ଼ି ଠକେଇର ଶିକାର ହେଉଛନ୍ତି। ସେହିପରି ଅନ୍ୟବାରରେ ଦଲାଲ ଜଣକ ମେଡିକାଲ ପରିସର ବିଭିନ୍ନ ପିଣ୍ଡିରେ ବସି ଲୋକଙ୍କୁ ଟାଗେର୍ଟ କରୁଛନ୍ତି। କାହାକୁ ରକ୍ତ ଯୋଗାଇ ଦେବାକୁ ତ ପୁଣି କାହାକୁ ନିଃଶୁଳ୍କ ଚିକିତ୍ସା କରାଇଦେବାକୁ କହି ଟଙ୍କା ନେଉଛନ୍ତି। ଏପରି କି ଜିଲା କାର୍ଯ୍ୟାଳୟ ପରିସରରେ ଥିଲେ କାର୍ଯ୍ୟାଳୟ ଭିତରକୁ ଯାଇ ପୁଣି ଫେରି ଆସୁଛନ୍ତି। ମେଡିକାଲ ପରିସରରେ ଥିଲେ ଭିତରକୁ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇଯାଉଛନ୍ତି। ଆଉ କାର୍ଯ୍ୟ ହୋଇଯିବ କହି ଟଙ୍କା ନେଇ ପଳାଇ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏକ ଲେବର କାର୍ଡ ରିନୁଆଲ୍‌ କରିବାକୁ ଆସିଥିବା ଜଣେ ମହିଳାଙ୍କ ନିକଟରୁ ୨ ହଜାର ଟଙ୍କା ନେଇଥିଲେ। କିନ୍ତୁ କାମ ନ ହେବାରୁ ମହିଳା ଜଣକ ଟଙ୍କା ମାଗିବାରୁ ସମ୍ପୃକ୍ତ ଦଲାଲ ଲେବର କାର୍ଯ୍ୟାଳୟରେ ବାବୁଙ୍କୁ ଟଙ୍କା ଦେଇଥିବା କହି ଖସି ଯାଇଥିଲେ। ସେହିପରି ସୋମବାର ବଅଁରପାଳ ବ୍ଲକ ଅଞ୍ଚଳରୁ ଆସିଥିବା ଜଣେ ଭିନ୍ନକ୍ଷମଙ୍କ ଠାରୁ ଟଙ୍କା ନେଉଥିବା ଦୃଶ୍ୟ ନଜରକୁ ଆସିଥିଲା। ଏ ନେଇ ଜିଲା ପ୍ରଶାସନ ଜାଣିବା ପରେ ଘଟଣାର ଅନୁଧ୍ୟାନ କରାଯିବ ବୋଲି କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share