Categories: ଜାତୀୟ

ବେଙ୍ଗାଲୁରୁରେ ରାତିଅଧିଆ ଦଙ୍ଗା

ବେଙ୍ଗାଲୁରୁ,୧୩ା୮: ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ପୋଷ୍ଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଛି। ଏହାକୁ ନେଇ ଭଙ୍ଗାରୁଜା ଓ ପୋଡ଼ାଜଳା ଚାଲିଥିବାବେଳେ ଜନତାଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି। ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଛନ୍ତି। ଲୋକଙ୍କ ଆକ୍ରୋଶର ଶିକାର ହୋଇ ପ୍ରାୟ ୬୦ ପୋଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ପ୍ରସଙ୍ଗରେ ପୋଷ୍ଟ କରିଥିବା ଅଭିଯୁକ୍ତ ପି. ନବୀନଙ୍କ ସମେତ ୧୧୦ ଦଙ୍ଗାକାରୀଙ୍କୁ ପୋଲିସ ଗିରଫ କରିଛି।
ସୂଚନା ଅନୁସାରେ କର୍ନାଟକ ରାଜଧାନୀ ବେଙ୍ଗାଲୁରୁସ୍ଥିତ ପୁଲକେଶୀନଗରର କଂଗ୍ରେସ ବିଧାୟକ ଆର୍‌. ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ପି. ନବୀନ ଫେସ୍‌ବୁକ୍‌ରେ ଇସ୍‌ଲାମ ବିରୋଧୀ ପୋଷ୍ଟ କରିଥିଲେ। ଏଥିରେ ପ୍ରୋଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ଏହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଉତ୍ତ୍ୟକ୍ତ ହୋଇଥିଲେ। କେତେଜଣ ଲୋକ ରାତି ୧ଟାରେ ବିଧାୟକଙ୍କ ଘରକୁ ଟାର୍ଗେଟ କରି ସେଠାରେ ଥିବା ଗାଡ଼ିଗୁଡ଼ିକୁ ଜାଳିଦେଇଥିଲେ। ପରେ ସେମାନେ ଡିଜେ ହାଲ୍ଲି ଥାନାକୁ ଯାଇ ଭଙ୍ଗାରୁଜା ଓ ଜଳାପୋଡ଼ା କରିଥିଲେ। ପ୍ରାୟ ୧ ହଜାର ଲୋକ ଏହି ଦଙ୍ଗାରେ ସମ୍ପୃକ୍ତ ଥିବା ପୋଲିସ କହିଛି। ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କୁ ଗିରଫ କରାଯାଇଛି।
ଗୃହମନ୍ତ୍ରୀ ବାସବରାଜ ବୋମାଇ ଦଙ୍ଗା ଓ ରାହାଜାନିକୁ ଆଇନ ବିରୋଧୀ କହି ହିଂସା ନିୟନ୍ତ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ପୋଲିସକୁ ସ୍ବାଧୀନତା ଦିଆଯାଇଛି ବୋଲି କହିଥିଲେ। ଏହା ପରେ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି ଶାନ୍ତି ବଜାୟ ରଖିବା ଲାଗି ମୁସଲିମ ସମ୍ପ୍ରଦାୟକୁ ଏକ ଭିଡିଓ ମେସେଜ୍‌ରେ ଅନୁରୋଧ କରିଥିଲେ। ବେଙ୍ଗାଲୁରୁ ପୋଲିସ କମିଶନର କମଳ ପନ୍ଥ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ତାଙ୍କ ହସ୍ତକ୍ଷେପ ସତ୍ତ୍ୱେ ଦଙ୍ଗାକାରୀମାନେ ତୁମୁଳକାଣ୍ଡ ଭିଆଇ ଚାଲିଥିଲେ। ପରେ ପୋଲିସ ପକ୍ଷରୁ ଟୁଇଟ୍‌ କରାଗଲା ଯେ, ଉତ୍ତ୍ୟକ୍ତ ଭିଡ଼କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିଚାର୍ଜ କରାଯାଇଛି ଏବଂ ଶେଷରେ ଗୁଳି ଚଳାଯାଇଛି। ପୋଲିସ ଗୁଳିରେ ୩ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିବା ପରେ ଡିଜେ ହାଲ୍ଲି ଏବଂ କେଜି ହାଲ୍ଲି ଥାନା ଅଞ୍ଚଳରେ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା। ଲୋକେ ଟେକାପଥର ଫିଙ୍ଗିବା ସହ ପୋଲିସ ବିରୋଧରେ ସ୍ଲୋଗାନ ଦେଇଥିଲେ।
ଏନେଇ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଛନ୍ତି, ସରକାର ଏଭଳି ଉତ୍ତେଜନାମୂଳକ କାର୍ଯ୍ୟ ଓ ଗୁଜବକୁ ଆଦୌ ବରଦାସ୍ତ କରିବେ ନାହିଁ। ଦଙ୍ଗା ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଲୋକେ ଶାନ୍ତି ବଜାୟ ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ବିରୋଧୀ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ୟେଦୁରପ୍ପା ସରକାରଙ୍କୁ ସମର୍ଥନ କରି ସହରରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିଛନ୍ତି।

Share