Advertisement

ତେଲଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ:ମୃତଦେହ ଆଣିବାରେ ସାମାଜିକ କର୍ମୀ ବଢ଼ାଇଲେ ସହଯୋଗର ହାତ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ତେଲେଙ୍ଗାନାରେ ରବିବାର ବରଗଡ଼ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମର ଦୟା ଦୀପ। ସେ ତେଲଙ୍ଗାନାର ଏକ ଇଟାଭାଟିରେ କାମ କରୁଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ମୃତଦେହ ଘରକୁ ନେବା ପାଇଁ ଇଟାଭାଟି ମାଲିକ ୨୦ ହଜାର ଟଙ୍କା ଦେଇଥିଲେ। ଅନ୍ୟପଟେ ତେଲେଙ୍ଗାନାରୁ ମୃତକଙ୍କ ଗ୍ର୍ରାମକୁ ମୃତଦେହ ଆଣିବା ପାଇଁ ୪୦ ହଜାର ଟଙ୍କା ଆବଶ୍ୟକତା ରହିଛି। ଏ ନେଇ ଫୋନ ମାଧ୍ୟମରେ ମୃତକଙ୍କ ସମ୍ପର୍କୀୟମାନେ ସାମାଜିକ କର୍ମୀ ଦୀପା ବାରିକଙ୍କୁ ଜଣାଇଥିଲେ। ଏହାପରେ ଦୀପା ସେ ନେଇ ତେଲଙ୍ଗାନାର ପୋଲିସ କମିଶନରଙ୍କ ସହିତ ଫୋନରେ କଥାବାର୍ତ୍ତା ହୋଇଥିଲେ। ମୃତକଙ୍କ ମୃତଦେହ ଘରକୁ ଫେରାଇବା ପାଇଁ ତେଲଙ୍ଗାନା ପୋଲିସ କମିଶନର ସବୁ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିବା ସାମାଜିକ କର୍ମୀ ଦୀପା କହିଛନ୍ତି। ମୃତ ଶ୍ରମିକ ତାଙ୍କ ସ୍ତ୍ରୀଙ୍କ ସହିତ ଗତ କିଛିଦିନ ତଳେ ତେଲଙ୍ଗାନାକୁ ଯାଇଥିଲେ ଏବଂ ସେଠାକାର ଏକ ଇଟାଭାଟିରେ ନିୟୋଜିତ ଥିଲେ। ରବିବାର ସକାଳେ ତାଙ୍କୁ ଝାଡ଼ାବାନ୍ତି ହେବା ସହିତ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share