
ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ନାଗେନପାଲି ଗ୍ରାମର ଜଣେ ମହିଳା ହୀରା ମୁଣ୍ଡା (୪୦)ଦାଦନ ଖଟିବାକୁ ତେଲଙ୍ଗାନା ରାଜ୍ୟକୁ ଯାଇ ସେଠାରୁ ଶବ ହୋଇ ଘରକୁ ଫେରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ପକାଇଛି। ମଙ୍ଗଳବାର ମୃତଦେହ ଘରକୁ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତ ପ୍ରାୟ ୪ମାସତଳେ ମୃତ ମହିଳା ନିଜ ପିଲାଛୁଆ ଧରି ତେଲଙ୍ଗାନା ରାଜାକୁ ଯାଇଥିଲେ। ତାଙ୍କ ସାଥିରେ ୨ସନ୍ତାନ ମଧ୍ୟ ଯାଇଥିଲେ। ସେଠାରେ ହୀରା ଏକ ଇଟାଭାଟିରେ କାମ କରୁଥିଲେ। ରବିବାର କ୍ରେନ୍ ସାହାଯ୍ୟରେ ଭାଟି ଉପରକୁ ଇଟା ଚଢାଉ ଥିଲେ। ମାତ୍ର କ୍ରେନରେ ଲାଗିଥିବା ଦଉଡ଼ି ଛିଣ୍ଡି ଯାଇ ପଡିଯିବାରୁ ହୀରାଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ମୃତ ମହିଳାଙ୍କ ସମ୍ପର୍କୀୟ କହିଛନ୍ତି। ଏ ନେଇ ତେଲଙ୍ଗାନାର ରାଜ୍ୟର କୋଠପାଲି ଥାନାରେ ଏକ ମାମଲା (ନଂ- ୧୨୩/୨୫) ରୁଜୁ ହୋଇଛି। ସେଠାରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ଏହାପରେ ଇଟାଭାଟିର ଠିକାଦାର ଏକ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କ ମୃତଦେହ ସହିତ ତାଙ୍କ ୨ସନ୍ତାନ ଏବଂ ସାଙ୍ଗରେ ନେଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ନାଗେନପାଲି ଗ୍ରାମକୁ ପଠାଇ ଦେଇଥିଲେ। ହୀରାଙ୍କ ମୃତ୍ୟୁ ପରେ ତାଙ୍କ ୨ସନ୍ତାନ ଅସହାୟ ହୋଇ ପଡିଛନ୍ତି। ମୃତ ମହିଳାଙ୍କ ସନ୍ତାନମାନଙ୍କୁ ଥଇଥାନ କରିବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।