ଗଳାବାଟ ଦେଇ ପଶିଆସୁଛନ୍ତି ପ୍ରବାସୀ

ଜଳେଶ୍ୱର, ୨୪।୪(ଡି.ଏନ.ଏ.)-କରୋନା ଦ୍ୱିତୀୟ ଲହର କାୟା ବିସ୍ତାର କରିଚାଲିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା-ପଶ୍ଚିମବଙ୍ଗ ଉପାନ୍ତ ସିଲ୍‌ କରାଯାଇଥିଲେ ମଧ୍ୟ ଏବେବି ବହୁ ସ୍ଥାନରେ ଗଳାବାଟ ମୁକୁଳା ପଡିଛି ା ଏହି ଗଳାବାଟ ଦେଇ ପଶ୍ଚିମବଙ୍ଗ ପ୍ରବାସୀ ଓଡ଼ିଶା ମଧ୍ୟକୁ ପଶିଆସୁଛନ୍ତି। ଏହାକୁ ରୋକିବାକୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଧାୟକ ଅଶ୍ୱିନୀ ପାତ୍ର ଅଧ୍ୟକ୍ଷତା କରି ଖୁବ୍‌ଶୀଘ୍ର ହାୱଡାରୁ ଓଡିଶା ଅଭିମୁଖେ ଆସୁଥିବା ଟ୍ରେନ୍‌ଗୁଡିକ ବିଭିନ୍ନ ଷ୍ଟେଶନରେ ରହଣିକୁ ରଦ୍ଦ କରାଯିବାକୁ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିବା ସମ୍ପର୍କରେ କହିଥିଲେ ା ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ କରୋନା ଲକ୍ଷଣ ଥିଲେ ତୁରନ୍ତ ରୋଗୀଙ୍କୁ ଡାକ୍ତରଖାନାକୁ ଆଣି ପରୀକ୍ଷା କରାଇ ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ। ଆଇଆଇସି ମାନସ କୁମାର ଦେଓ ଓ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଯୋଗଦେଇ କେବଳ ପୋଲିସ୍‌ ନୁହେଁ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ସହଯୋଗ କଲେ ପ୍ରବାସୀମାନଙ୍କୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଚିକିତ୍ସା ସମ୍ଭବ ହୋଇପାରିବ ବୋଲି କହିଥିଲେ। ବିଡିଓ ଦିପ୍ତିରଞ୍ଜନ ସେଠୀ ଓ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର ଜଳେଶ୍ୱର ସହର ଓ ବ୍ଲକ ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ ରଖାଯାଇଥିବା ଜଣାଇଥିଲେ। ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଜଳେଶ୍ୱର ବ୍ଲକର ୮ଟି ମୁଖ୍ୟ ରାସ୍ତାକୁ ବ୍ୟାରିକେଡ କରାଯାଇ ପ୍ରବାସୀମାନଙ୍କୁ ଚିହ୍ନଟ କରାଯାଉଥିବା ଓ ସେମାନଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ହେଲେ ପଶ୍ଚିମବଙ୍ଗକୁ ଲାଗି ଜଳେଶ୍ୱର ବ୍ଲକର ବହୁ ଗଳାବାଟ ଦେଇ ହଜାର ହଜାର ଗାଡି ଓ ପ୍ରବାସୀ ରାଜ୍ୟ ଭିତରକୁ ପଶି ଆସୁଥିବାରୁ ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା ସରପଞ୍ଚ ଓ ସମିତି ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ା ପଶ୍ଚିମବଙ୍ଗକୁ ଲାଗି ରହିଥିବା ଜଳେଶ୍ୱର ବ୍ଲକର ନେତୁଆ, ସୁଗୋ, ନଛିମପୁର, ଗୋବରଘଟା, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଓଲମରା, ଖୁଆର୍ଡ, ମାକିଡିଆ, ଖୁଦିଆ ମାଝିସାରହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଲକ୍ଷ୍ମଣନାଥ ଆଦି ପଞ୍ଚାୟତର ସରପଞ୍ଚମାନେ ଗଳା ରାସ୍ତାରେ ବ୍ୟାରିକେଡ କରିବାକୁ ବିଡିଓ ସେଠୀ ନିର୍ଦ୍ଦେଶ ଦେଇଥିଲେ ା

Share