ଲକ୍‌ଡାଉନ ଭୟରେ ଘରମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି। ଦିନକୁ ଦିନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ନୂଆ ମାମଲା ସମସ୍ତ ପୁରୁଣା ରେକର୍ଡ ଭାଙ୍ଗୁଥିବା ବେଳେ ପ୍ରତିଦିନ ୧ଲକ୍ଷରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ ୪ଟି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ନୂଆ ମାମଲା ରହିଛି। ଏଥିରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ସାମିଲ ରହିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ୍ତ ହେବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିବା ନେଇ ସଙ୍କେତ ମଧ୍ୟ ଦେଇସାରିଲେଣି। ତେବେ ରାଜ୍ୟରେ ଲକ୍‌ଡାଉନ ହେବା ଆଶଙ୍କାରେ ପୁଣି ଥରେ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହେବା ପାଇଁ ପ୍ରସ୍ତୁତି ଚଳାଇଲେଣି। ଲୋକଙ୍କୁ ପୁଣି ଥରେ ଖାଦ୍ୟ ଏବଂ ଆୟ ଚିନ୍ତା ଘାରିଛି। ଏଥିଯୋଗୁ ସେମାନେ ନିଜ ଗ୍ରାମକୁ ଫେରିଯିବା ପାଇଁ ଚାହୁଁଥିବା ବେଳେ ରେଲଓ୍ବେ ଷ୍ଟେସନରେ ସେମାନଙ୍କ ଭିଡ଼ ଜମୁଛି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ମୁମ୍ବାଇର କଲ୍ୟାଣ ରେଲଓ୍ବେ ଷ୍ଟେସନ ଓ ଦିଲ୍ଲୀର ଆନନ୍ଦ ବିହାର ବସ୍‌ ଷ୍ଟେସନରେ। ତେବେ ଏହା କେବଳ ମୁମ୍ବାଇରେ ନୁହେଁ ବରଂ ଦିଲ୍ଲୀ, ପୁନେ, ନାସିକ, ନାଗପୁରରୁ ମଧ୍ୟ ଏଭଳି ଖବର ସାମ୍ନାକୁ ଆସୁଛି।

Share