ଘରେ ପହଞ୍ଚିବ ମାଇଗ୍ରେଶନ ସାର୍ଟିଫିକେଟ

ସମ୍ବଲପୁର,୨୭ା୧୦(ବ୍ୟୁରୋ): ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ଛାତ୍ରୀଛାତ୍ରଙ୍କୁ ଆଉ ବିଶ୍ୱବିଦ୍ୟାଳୟ ଆସି ଧାଡ଼ିରେ ଛିଡା ହୋଇ ଆବେଦନ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନରେ ଆବେଦନ କରିବା ପରେ ସେମାନଙ୍କ ଘରେ କିମ୍ବା ଦିଆଯାଇଥିବା ଠିକଣାରେ ସାର୍ଟିଫିକେଟ ପହଞ୍ଚିିବ। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ପରିସରରେ ବୁଧବାର ଅନ୍‌ଲାଇନ ସେବା ଉଦ୍‌ଘାଟନ ଅବସରରେ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏହା କହିଥିଲେ।

ଏସ୍‌ୟୁ ଅଧୀନରେ ୧୦ ଜିଲାରେ ୨୨୨ କଲେଜ ରହିଛି। ଛାତ୍ରୀଛାତ୍ର ପାସ୍‌ କରିବା ପରେ ଓ ଅନ୍ୟ କଲେଜରେ ନାମ ଲେଖାଇଲେ ମାଇଗ୍ରେଶନ ସାର୍ଟିଫିକେଟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ। କେତେକ ଜିଲାର କଲେଜ ବିଶ୍ୱବିଦ୍ୟାଳୟଠାରୁ ୩ଶହ କି.ମି. ଦୂରରେ ରହୁଛି। ସାର୍ଟିଫିକେଟ ପାଇଁ ପିଲାମାନେ ଆସିଲେ ଦିନଟିଏ ବିତିଯାଉଥିଲା। ପୁଣି ଫି’ ଦେବାଠାରୁ ଆରମ୍ଭ କରି ଆବେଦନ କରିବା ନେଇ ସମସ୍ୟା ଭୋଗୁଥିଲେ। ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ମାଇଗ୍ରେଶନ ସାର୍ଟିଫିକେଟ ଆବେଦନ କରିବା ପାଇଁ ସ୍ବତନ୍ତ୍ର ସାଇଟ୍‌ ରହିଛି। ପିଲାମାନେ ମୋବାଇଲ ନମ୍ବର ଓ ମେଲ୍‌ ଆଇଡି ଦେଇ ଆବେଦନ କରିପାରିବେ। ଆବଶକ୍ୟ ପଡୁଥିବା ଫି’ ମଧ୍ୟ ଅନ୍‌ଲାଇନରେ ଦେଇପାରିବେ। ସାର୍ଟିଫିକେଟ ପ୍ରସ୍ତୁତ କରି କର୍ତ୍ତୃପକ୍ଷ ଘରକୁ ପଠାଇବା ବ୍ୟବସ୍ଥା କରିବେ। ଯଦି ଜଣେ ଛାତ୍ର ଚାହିଁବେ ସେମାନେ ଏସ୍‌ୟୁ ଆସି ସାର୍ଟିଫିକେଟ ନେଇପାରିବେ। ରାଜ୍ୟରେ ଏହି ସେବା ପ୍ରଥମେ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଦିଆଯାଉଥିବା ବେଳେ ଦ୍ୱିତୀୟ ଅନୁଷ୍ଠାନ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ କରିଛି।

Share