ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ ସକ୍ରିୟ ହୋଇଉଠିଛନ୍ତି ମାଂସଲୋଭୀ ଶିକାରୀ। ଖାଦ୍ୟଶସ୍ୟରେ ବିଷଦେଇ ସେମାନେ କରୁଛନ୍ତି ପକ୍ଷୀ ଶିକାର। ଏହାକୁ ନେଇ
ପ୍ରବାସୀ ଅତିଥିଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଥିବାବେଳେ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ବନ ବିଭାଗ।
ଦୀର୍ଘବର୍ଷ ହେଲା ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି ଅବବାହିକା ପାଲଟିଛି ପ୍ରବାସୀ ପକ୍ଷୀଙ୍କ ସମାଗମର ସ୍ଥଳ। ନଭେମ୍ବରରୁ ଜାନୁୟାରୀ ମଧ୍ୟରେ ଉତ୍ତର ଆଫ୍ରିକା, ଦକ୍ଷିଣ ପୂର୍ବ ୟୁରୋପ ଏବଂ ମଧ୍ୟ ଏସିଆରୁ ଏଠାକୁ ବହୁ ପକ୍ଷୀ ଆସିଥାଆନ୍ତି। ବ୍ରାହ୍ମିନୀ ଡକ୍ (ରୁଡି ସେଲ୍ଡକ୍), ସାଇବେରିଆନ ଚଢ଼େଇ, ଗେଣ୍ଡାଳିଆ ମାଂସର ଚାହିଦା ଆଞ୍ଚଳିକ ବଜାରରେ ଅଧିକ ରହୁଥିବାରୁ ଶିକାରୀ ସକ୍ରିୟ ହୋଇଉଠିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ସିଧାସଳଖ ଫାଶବସାଇ ଶିକାର କଲେ ଧରାପଡ଼ିବା ଭୟ ରହୁଥିବାରୁ ଶିକାରୀମାନେ ଧାନ, ମୁଗ, ବିରି ଭଳି ଶସ୍ୟଜାତୀୟ ଖାଦ୍ୟରେ ବିଷ ପ୍ରୟୋଗ କରୁଛନ୍ତି। ଏହାକୁ ଖାଇ ପ୍ରବାସୀ ପକ୍ଷୀମାନେ ମୃତ୍ୟୁମୁଖରେ ପଡୁଛନ୍ତି। ମଲାପକ୍ଷୀଙ୍କ ମାଂସ ବିକ୍ରି କରି ସେମାନେ ଲାଭବାନ ହେଉଛନ୍ତି। ସଦର ଥାନା ନାଗେନା ନିକଟସ୍ଥ ବ୍ରାହ୍ମଣୀ ନଦୀ ଅବବାହିକାରେ ଗତ ରବିବାର ଏବଂ ସୋମବାର ବହୁ ପକ୍ଷୀଙ୍କ ଶିକାର କରାଯାଇଛି। କେବଳ ଏତିକି ନୁହେଁ, ବିଷମିଶା ଖାଦ୍ୟ ବ୍ରାହ୍ମଣୀ କଇଁଛଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ନଦୀବାଲିରେ ଦୁଇ କଇଁଛ ସମେତ ପକ୍ଷୀ ମରିପଡ଼ିଥିବା ସୂଚନା ମିଳିବା ପରେ ଜିଲା ବନ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ତେବେ ତନାଘନା କରିବା ସମୟରେ କୌଣସି ମୃତପକ୍ଷୀ ମିଳିନାହିଁ। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ପକ୍ଷୀ ଶିକାର କରାଯାଉଥିବା ଅଭିଯୋଗ ମିଳିବା ପରେ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ନଦୀର ଅପରପାର୍ଶ୍ୱରୁ ଶିକାରୀମାନେ ଆସି ପକ୍ଷୀ ଶିକାର କରୁଥିବା ସନ୍ଦେହ କରାଯାଉଛି। ପ୍ରବାସୀ ପକ୍ଷୀ ସମାଗମ ହେଉଥିବା ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।