ବମ୍ବେ: ନିଜର ଲଭ୍ଲାଇଫ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆକାଂକ୍ଷା ପୁରୀ। କିଛି ମାସ ତଳେ ସେ ‘ସ୍ବୟମ୍ବର:ମିକା ଦି ବୋଟି’ ଶୋ’ ଜିତି ସମସ୍ତଙ୍କୁ ଚକିତ କରିଥିଲେ। ଶୋ’ ପୂର୍ବରୁ ଉଭୟ ପରସ୍ପରକୁ ଜାଣିଥିଲେ। ପରେ ଦୁହେଁ ପରସ୍ପରକୁ ଜୀବନସାଥୀ ରୂପରେ ବାଛିଥିଲେ। ହେଲେ ଶୋ’ ପରେ ସେମାନଙ୍କ ବିବାହ ତ ଦୂରର କଥା ଡେଟିଂ ନେଇ ମଧ୍ୟ କୌଣସି ଖବର ଶୁଣିବାକୁ ମିଳୁ ନ ଥିଲା। ଏବେ ଏନେଇ ଗାୟକ ମୁହଁ ଖୋଲିଛନ୍ତି।
ମିକା କହିଛନ୍ତି, ଶୋ’ ପ୍ରାୟୋଜିତ କିମ୍ବା ସ୍କ୍ରିପ୍ଟେଡ୍ ନ ଥିଲା। ମୁଁ ସତରେ ବିବାହ କରିବାକୁ ଚାହୁଁଥିଲି। ପରିବାର ଏବଂ ବନ୍ଧୁମାନେ ମୋ ଉପରେ ଚାପ ପକାଉଥିଲେ। ଆକାଂକ୍ଷାଙ୍କୁ ନିଜର ସାଥୀ ଭାବେ ଚୟନ କରିବା ପରେ ଦୁହେଁ ପରସ୍ପର ଲାଗି ଠିକ୍ ନୁହେଁ ବୋଲି ଜାଣିପାରିଲି। ମୁଁ ପେସାରେ ଜଣେ ଗାୟକ। ମୋତେ କନସର୍ଟ ଲାଗି ଭିନ୍ନ ଭିନ୍ନ ସହରକୁ ଯିବାକୁ ପଡେ। ସେହିଭଳି ଆକାଂକ୍ଷା ଜଣେ ଅଭିନେତ୍ରୀ। ତାଙ୍କୁ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ଯାଏ ରହିବାକୁ ପଡ଼ିଥାଏ। ଏଣୁ ଦୁହେଁ ପରସ୍ପର ସହ ସମୟ ବିତାଇବା ସମ୍ଭବ ହୋଇ ନ ଥାଏ। ଏଣୁ ଦୁହେଁ ବ୍ରେକ୍ଅପ୍ କରି ବନ୍ଧୁ ହୋଇ ରହିବାକୁ ନିଷ୍ପତ୍ତି ନେଇଛୁ। ବିବାହ ନିଷ୍ପତ୍ତି ଶୀଘ୍ର ନିଆଯିବା ଉଚିତ ନୁହେଁ ବୋଲି ମୁଁ ବୁଝିସାରିଛି। ସବୁ ଜିନିଷର ସଠିକ ସମୟ ଥାଏ ବୋଲି ମିକା କହିଛନ୍ତି।