ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ମିଲିନ୍ଦ ସୋମନ

ନୂଆଦିଲ୍ଲୀ,୨୫ ।୮: ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ ଦେଶର ଟପ ଆଥେଲେଟରେ ସାମିଲ ଅଛନ୍ତି । ନିଜର ଫିଟନେସକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ନିକଟରେ ମିଲିନ୍ଦ ୟୁନିଟ ରନ ଶେଷ କରିଛନ୍ତି । ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏବେ ସେ ମୋଦିଙ୍କ ସହ ଏକ ଫଟୋ ଶେୟାର କରି ଏକ ବଡ କଥା କହିଛନ୍ତି ।
ସୂଚନାଯୋଗ୍ୟ, ୟୁନିଟ ରନ ଶେଷ କରିବା ପରେ ମିଲିନ୍ଦ ସୋମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଏବେ ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମୋଦିଙ୍କ ସହ ସାକ୍ଷାତକାର ସମୟର ଏକ ଫଟୋ ଶେୟାର କରିଛନ୍ତି । ଯାହା ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ୟୁନିଟ ରନ ଶେଷ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟି ଖୁବ୍ ଖୁସି ଅନୁଭବ କଲି । ସାକ୍ଷାତକାର ସମୟରେ ତାଙ୍କ ସହ କଥା ହୋଇ ଜାଣିପାରିଲି ଯେ ସେ ବି ମୋ ପରି ଭାରତୀୟ ଇତିହାସ, ଖେଳ, ସ୍ୱାସ୍ଥ୍ୟ ଓ ଫିଟନେସ ଉପରେ ଖୁବ ରୁଚି ରଖନ୍ତି । ଦେଶରେ ଯୋଗ ଓ ଆୟୁର୍ବେଦକୁ ଆଗକୁ ଯିବାକୁ ସୁଯୋଗ ମିଳୁଥିବାରୁ ମୁଁ ହୃଦୟର ସହ ତାଙ୍କୁ ଧନ୍ୟବାଦ ଦେଉଛି ।
ମିଲିନ୍ଦ ସୋମନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ୫୬ ବର୍ଷ ବୟସରେ ଖୁବ୍ ଫିଟଥିବା ମିଲିନ୍ଦ ସୋମନଙ୍କୁ ଖୁବ୍ ପ୍ରଶଂସା ବି ମିଳୁଛି । ୱାର୍କ ଆଉଟ, ଯୋଗ ଅଭ୍ୟାସ କରି ଫିଟ ଥିବା ଏହି କଳାକାରଙ୍କ ପୋଷ୍ଟରେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଖିବାକୁ ମିଳିଛି ।

Share