ଗୋଆ ବିଚ୍‌ର ଫଟୋ ଶୁଟ୍‌କୁ ନେଇ ମିଲିନ୍ଦ ସୋନମଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ,୭ ।୧୧: ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋନମ ଏବେ ଅଡୁଆରେ । ନିକଟରେ ସେ ଗୋଆ ବୁଲିବାକୁ ଯାଇଥିବା ବେଳେ ସେଠାରେ ଉଠାଇଥିବା ଫଟୋକୁ ନେଇ ସେ ବିବାଦରେ ଫସି ଯାଇଛନ୍ତି । ଗୋଆ ବିଚ୍‌ରେ ସେ ନ୍ୟୁଡ ଫଟୋ ଉଠାଇଥିବା ଓ ଏହାକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏବେ ତାଙ୍କ ନାଁରେ ଏଫ୍‌ଆଇଆର୍ ଦିଆଯାଇଛି । ଗୋଆ ବିଚରେ ସେ ନ୍ୟୁଡ ହୋଇ ଦୌଡୁଥିବା ବେଳେ ତାଙ୍କ ସ୍ତ୍ରୀ ଅଙ୍କିତା ସେହି ଫଟୋ ଗୁଡିକୁ ଉଠାଇଥିଲେ । ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ମିଲିନ୍ଦ ଲେଖିଥିଲେ ୫୫ ଏଣ୍ଡ ରନିଂ । ସମାଚାର ଏଜେନ୍ସି ଏଏନ୍‌ଆଇର ଅଫିସିୟାଲ ଟୁଇଟର ହ୍ୟାଣ୍ଡେଲରୁ ମିଳିଥିବା ଖବର ଅନୁଯାୟୀ, ଆଇପିସି ଧାରା ୨୯୪ ଓ ଆଇଟି ଆକ୍ଟ ୬୭ ଆଧାରରେ ସୋନମଙ୍କ ନାଁରେ ପୋଲିସ ଷ୍ଟେଶନରେ ମାମଲା ରେଜିଷ୍ଟର କରାଯାଇଛି । ଗୋଆ ସୁରକ୍ଷା ମଞ୍ଚର ଅଭିଯୋଗ ପରେ ଏହି ଏଫ୍‌ଆଇଆର୍ ଦିଆଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ନିକଟରେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିରୋଧରେ ମଧ୍ୟ ଗୋଆରେ ନ୍ୟୁଡ ଫଟୋ ଶୁଟ୍ କରିବା ଅଭିଯୋଗ ଆସିଥିଲା ଓ ଏହାକୁ ନେଇ ଏଫ୍‌ଆଇଆର୍ ଦିଆଯାଇଥିଲା । ହେଲେ ପରେ ତାଙ୍କୁ ଜାମିନ ମିଳିଯାଇଥିଲା ।

Share