ଗାବୋନ୍‌ରେ ସାମରିକ ବିଦ୍ରୋହ, ରାଷ୍ଟ୍ରପତି ଗୃହବନ୍ଦୀ

ଲିବ୍ରେଭିଲେ,୩୧ା୮: ଆଫ୍ରିକୀୟ ରାଷ୍ଟ୍ର ଗାବୋନ ନିର୍ବାଚନରେ ରାଷ୍ଟ୍ରପତି ଅଲୀ ବୋଙ୍ଗୋ ଅଣ୍ଡିମ୍ବାଙ୍କ ବିଜୟ ପରେ ବୁଧବାର ସାମରିକ ବିଦ୍ରୋହ ଦେଖିବାକୁ ମିଳିଛି। ସେନା ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ କରି କ୍ଷମତା ଦଖଲ କରିଛି। ବର୍ତ୍ତମାନର ଶାସନ ଶେଷ ହେଲା ବୋଲି କେତେଜଣ ସୈନ୍ୟ ଟିଭିରେ ଘୋଷଣା କରିଛନ୍ତି। ଏଥିସହ ଅଗଷ୍ଟ ୨୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଫଳାଫଳକୁ ଅସିଦ୍ଧ ଘୋଷଣା କରିଛନ୍ତି। ସେମାନେ ସରକାର, ସିନେଟ୍‌, ନ୍ୟାଶନାଲ ଆସେମ୍ବ୍ଲି ଏବଂ ସାମ୍ବିଧାନିକ ଅଦାଲତ ସମେତ ଦେଶର ସମସ୍ତ ଅନୁଷ୍ଠାନକୁ ଭଙ୍ଗ କରିଦେଇଛନ୍ତି। ନୂଆ ନୋଟିସ ଜାରି ହେବା ପର୍ଯ୍ୟନ୍ତ ଦେଶର ସବୁ ସୀମାକୁ ସିଲ୍‌ କରିଦିଆଯାଇଛି। ରାଜଧାନୀ ଲିବ୍ରେଭିଲେରେ ଗୁଳିଗୋଳାର ଶବ୍ଦ ଶୁଣିବାକୁ ମିଳୁଛି। ବିଦ୍ରୋହ କରିଥିବା ସୈନ୍ୟଙ୍କ ମଧ୍ୟରେ ରିପବ୍ଲିକାନ୍‌ ଗାର୍ଡ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ଦୀର୍ଘ ୧୪ ବର୍ଷ ଧରି କ୍ଷମତାରେ ଥିବା ବୋଙ୍ଗୋ ଶନିବାର ୬୪.୨୭% ଭୋଟ ପାଇ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଲବର୍ଟ ଅଣ୍ଡୋ ଓସା ମାତ୍ର ୩୦.୭୭% ପାଇଛନ୍ତି।

Share