ମାଲିରେ ସାମରିକ ବିଦ୍ରୋହ

ବମାକୋ,୨୬ା୫: ଆଫ୍ରିକୀୟ ରାଷ୍ଟ୍ର ମାଲିରେ ପୁଣିଥରେ ସୃଷ୍ଟି ହୋଇଛି ରାଜନୈତିକ ସଙ୍କଟ। ଦେଶର ସେନା ସାମରିକ ବିଦ୍ରୋହ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଗିରଫ କରିନେଇଛି। ସେମାନଙ୍କୁ ସୋମବାର ରାତିରେ ରାଜଧାନୀ ବମାକୋରୁ ଗିରଫ କରି ୧୫ କି.ମି. ଦୂରରେ ଥିବା କାତି ସେନା ମୁଖ୍ୟାଳୟରେ ରଖାଯାଇଛି। ହଠାତ୍‌ ହୋଇଥିବା ଏହି ଘଟଣାକ୍ରମକୁ ନେଇ ଆଫ୍ରିକୀୟ ସଂଘ ଓ ପଶ୍ଚିମ ଆଫ୍ରିକୀୟ ଆଞ୍ଚଳିକ ବ୍ଲକ୍‌ ଇସିଓଡବ୍ଲ୍ୟୁଏଏସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ସେହିପରି ଜାତିସଂଘ ଏବଂ ଅନ୍ତର୍ଜାତୀୟ ସମୁଦାୟର ଅନ୍ୟ ସଦସ୍ୟ ମଧ୍ୟ ରାଷ୍ଟ୍ରପତି ବାହ ଏନ୍‌ଦାଓ୍ବ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ତୁରନ୍ତ ମୁକ୍ତ କରିବା ଲାଗି ପରାମର୍ଶ ଦେଇଛନ୍ତି।
ଏହି ଗିରଫଦାରି ପୂର୍ବରୁ ସରକାରରେ ପରିବର୍ତ୍ତନ ଆଣି ସେନାର ୨ ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିଲା। ନୂଆ କ୍ୟାବିନେଟରୁ ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ମୋଡିବୋ କୋନ୍‌ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ସାଡିଓ କମାରାଙ୍କୁ ବାହାର କରିବା ନେଇ କିଛି କୁହାଯାଇ ନ ଥିଲା। ଏଥିଯୋଗୁ ଅସ୍ଥାୟୀ ସରକାରରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ସମୁଦାୟ ଏକ ବିବୃତି ଜାରି କରି ଏହି ଗିରଫଦାରି ଓ ଜୋରଜବରଦସ୍ତ ଇସ୍ତଫା ଦେବାକୁ ନିନ୍ଦା କରିଛି। କିନ୍ତୁ ସେନା ପକ୍ଷରୁ ଅଦ୍ୟାବଧି କୌଣସି ବିବୃତି ଜାରି କରାଯାଇ ନାହିଁ। ମଙ୍ଗଳବାର ରାଜଧାନୀ ବମାକୋରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥିଲା। ମାଲିର ସରକାରୀ ଟିଭି ଚ୍ୟାନେଲରେ କେବଳ ନୂଆ ସରକାର ସଦସ୍ୟଙ୍କ ମନ୍ତବ୍ୟ ଘୋଷଣା କରାଯାଉଛି। ତେବେ ଏହି ଘଟଣାକ୍ରମ ପରେ ଅସ୍ଥାୟୀ ସରକାର ନିଜ ପ୍ରତିଶ୍ରୁତି ଅନୁସାରେ ଆସନ୍ତା ଫେବୃୟାରୀ ସୁଦ୍ଧା ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କରାଇପାରିବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ୯ ମାସ ପୂର୍ବରୁ କରାଯାଇଥିବା ସାମରିକ ବିଦ୍ରୋହ ବେଳେ ସେନା ମାଲି ସରକାରକୁ ନିଜ କବ୍‌ଜାକୁ ନେଇଯାଇଥିଲା। ଶାସକ ମିଲିଟାରି ଜୁଣ୍ଟା ଅନ୍ତର୍ଜାତୀୟ ସମୁଦାୟର ଚାପ ପରେ ସିଲିଲିଆନ୍‌ ଟ୍ରାଞ୍ଜିଶନାଲ ସରକାରକୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହେବା ପରେ ଗତ ସେପ୍ଟେମ୍ବରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ। ପ୍ରକାଶ ଯେ, ଦେଶରେ ଶାନ୍ତି ଫେରାଇ ଆଣିବା ପାଇଁ ଜାତିସଂଘ ପକ୍ଷରୁ ବର୍ଷିକ ୧.୨ ବିଲିୟନ୍‌ ଡଲାର ଖର୍ଚ୍ଚ କରାଯାଉଛି।

Share