Categories: ଜାତୀୟ

ମୋଦିଙ୍କ ଅମଳରେ କ୍ଷୀର ୫୦%ରୁ ଊର୍ଦ୍ଧ୍ୱ ମହଙ୍ଗା

ନୂଆଦିଲ୍ଲୀ,୨୮।୬: (କୁଲଦୀପ ସିଂ): କିଛିମାସ ହେଲା କ୍ଷୀର ଦାମ୍‌ ବଢ଼ିଚାଲିଥିବାବେଳେ ଉତ୍ପାଦନ ବୃଦ୍ଧି କରି ଏହା ଉପରେ ଲଗାମ ଲଗାଇବା ପାଇଁ ଉଦ୍ୟମ କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି। ତେବେ କେଉଁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କ୍ଷୀର ଦାମ୍‌ ହ୍ରାସ ପାଇବ ସେନେଇ ସରକାର କିଛି କହିନାହାନ୍ତି।
ଦେଶରେ କ୍ଷୀର ଦାମ୍‌ ହୁ ହୁ ହୋଇ ବଢ଼ୁଥିବା ବିଷୟ କେନ୍ଦ୍ର ପ୍ରାଣୀ ସମ୍ପଦ, ମତ୍ସ୍ୟପାଳନ ଓ ଡେଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସ୍ବୀକାର କରିଛନ୍ତି। ମୋଦି ସରକାରଙ୍କ ୯ ବର୍ଷ ଶାସନର ଉପଲବ୍ଧି ବତାଇବା ପାଇଁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, କ୍ଷୀର ଦାମ୍‌ ବଢ଼ୁଥିବା କଥା ମୁଁ ମାନୁଛି। କ୍ଷୀର ଉତ୍ପାଦନ ବୃଦ୍ଧି କରି ଏହାର ଦାମ୍‌କୁ ନିୟନ୍ତ୍ରଣ କରାଯିବ।
୨୦୧୪ ମେ’ରେ ମୋଦି ସରକାର କେନ୍ଦ୍ରରେ କ୍ଷମତାସୀନ ହେବାବେଳେ କ୍ଷୀର କେ.ଜି. ୩୮ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୫୭ ଟଙ୍କାକୁ ବୃଦ୍ଧି ପାଇଛି। ବୃହତ୍‌ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ ଓ ମଦର ଡେଏରୀ ଗତବର୍ଷଠାରୁ ଅନେକ ଥର ଦାମ୍‌ ବଢ଼ାଇସାରିଲେଣି। ରିପୋର୍ଟ ଅନୁସାରେ ମଦର ଡେଏରୀ ୨୦୨୨ ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ କ୍ଷୀର ଦାମ୍‌ ୧୦ ଟଙ୍କା ବଢ଼ାଇଥିଲା। ଗୋଖାଦ୍ୟ ମହଙ୍ଗା ହେବାରୁ କ୍ଷୀର ଦାମ୍‌ ବୃଦ୍ଧି ପାଉଥିବା କୁହାଯାଉଛି। ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଗୋଖାଦ୍ୟ ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ସରକାର ଏକ ନୂଆ ଯୋଜନାରେ ସବ୍‌ସିଡି ପ୍ରଦାନ କରୁଛନ୍ତି। କିନ୍ତୁ କ୍ଷୀର ଯୋଗାଣରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇନାହିଁ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଦୁଗ୍ଧ ପାଉଡର ରହିଛି। କ୍ଷୀର ଯୋଗାଣ ଶୃଙ୍ଖଳ ମଧ୍ୟ ସୁରୁଖୁରୁରେ ଚାଲିଛି। ଗତ ୯ ବର୍ଷ ମଧ୍ୟରେ ଦେଶରେ ଦୁଗ୍ଧ ଉତ୍ପାଦନ ୮୩ ନିୟୁତ ଟନ୍‌ ବୃଦ୍ଧି ପାଇ ୨୨୧ ନିୟୁତ ଟନ୍‌ରେ ପହଞ୍ଚତ୍ଛି। ୨୦୨୪ରେ ମୁଣ୍ଡ ପିଛା କ୍ଷୀର ବ୍ୟବହାର ୩୦୩ ଗ୍ରାମ ଥିବାବେଳେ ୨୦୨୨ରେ ଏହା ୪୪୯ ଗ୍ରାମରେ ପହଞ୍ଚତ୍ଲା ବୋଲି କେନ୍ଦ୍ରମନ୍ତ୍ରୀ ରୁପାଲା ସୂଚନା ଦେଇଛନ୍ତି।

Share