ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଶତାଧିକ ରାଇସ ମିଲ୍ ଗଢ଼ି ଉଠିଛି। କିନ୍ତୁ କିଛି ରାଇସ୍ ମିଲ୍ ମାଲିକ(ମିଲର୍ସ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମ କାନୁନଙ୍କୁ ଖାତିର କରୁ ନାହାନ୍ତି। କେତେକ ସ୍ଥାନରେ ମିଲ୍ରେ ସ୍ଥାପିତ ଧୂଆଁ ନିଷ୍କାସନ ଫେଲ୍ ମାରିଥିବାବେଳେ ମିଲ୍ରୁ ନିର୍ଗତ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ଠିକ୍ଭାବେ ହେଉ ନାହିଁ। ଏହାକୁ ନେଇ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଗତ ମାସକ ମଧ୍ୟରେ ଜିଲାର ୫ରାଇସ୍ ମିଲ୍ର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନିର୍ଦ୍ଧାରୀତ ଅବଧି ମଧ୍ୟରେ ସ୍ପଷ୍ଟୀକରଣ ନ ଦେଲେ ସମ୍ପୃକ୍ତ ରାଇସ୍ ମିଲ୍ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି।
ବରଗଡ଼ ଜିଲା ଝାଙ୍କରପାଲିସ୍ଥିତ ଲାଠ୍ ଇଣ୍ଟଷ୍ଟ୍ରିଜ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରିଷଦ ପକ୍ଷରୁ ଦିଆଯାଇଥିବା ନୋଟିସ୍ ନଂ-୩୩୬ ତା ୩୧।୧।୨୦୨୫ରିଖରେ ଉଲ୍ଲେଖ ରହିଛି, ଉକ୍ତ ରାଇସ୍ ମିଲ ଚଲାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ଅନୁମତି ଅବଧି ଆସନ୍ତା ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ରହିଛି। ମାତ୍ର ଅନୁମତି ଦେବା ସମୟରେ ଯେଉଁ ସର୍ତ୍ତ ରଖାଯାଇଥିଲା, ସେଥିରୁ କିଛି ଏଠାରେ ଖିଲାପ୍ କରାଯାଇଛି ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି। ଗତବର୍ଷ ଡିସେମ୍ବର ମାସ ୧୧ତାରିଖ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଏକ ପ୍ରତିନିଧି ଦଳ ଉକ୍ତ ରାଇସ୍ ମିଲକୁ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଧୂଆଁ ନିଷ୍କାସନ ଏବଂ ବର୍ଜବସ୍ତୁ ପରିଚାଳନା ଠିକ୍ ନଥିବା ଅନୁଧ୍ୟାନ କରିଥିଲେ ବୋଲି ନୋଟିସ୍ରେ ଉଲ୍ଲେଖ ରହିଛି। ମିଲ୍ରୁ ନିର୍ଗତ ପାଉଁଶ ଗୁଣ୍ଡ(ଆଶ୍) ମିଲ୍ ବାହାର ଖୋଲାଜମିରେ ପକାଯାଇଥିବା ଏବଂ ତାହା ନ ଉଡ଼ିବା ପାଇଁ ପାଣି ମଧ୍ୟ ସିଞ୍ଚନ କରାଯାଇ ନଥିବା ଦେଖିବାକୁ ମିଳିଥିଲା ବୋଲି ନୋଟିସରେ ଉଲ୍ଲେଖ ରହିଛି। ସେହିପରି ନିର୍ଗତ ବର୍ଜ୍ୟବସ୍ତୁକୁ ମିଲ୍ ବାହାରକୁ ବିନା ପରିଚାଳନାରେ ଛଡ଼ା ଯାଉଥିବା ଦେଖିବାକୁ ମିଳିଥିଲା ବୋଲି ଏହି ନୋଟିସ୍ରେ ଦର୍ଶାଯାଇଛି। ଫଳରେ ଏ ନେଇ ନୋଟିସ୍ ହେବାର ୧୫ଦିନ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୧ଦିନ ମଧ୍ୟରେ କୌଣସି ସ୍ପଷ୍ଟୀକରଣ ନ ମିଳିଲେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ନୋଟିସ୍ରେ ସ୍ପଷ୍ଟ କରି ଦିଆଯାଇଛି।
ଅନୁରୂପଭାବେ ଅତାବିରା ବ୍ଲକ ଅନ୍ତର୍ଗତ ଭୁର୍ଷିପାଲିସ୍ଥିତ ଘଣ୍ଟେଶ୍ୱରୀ ରାଇସ୍ ମିଲକୁ ରାଜ୍ୟ ନିୟନ୍ତ୍ରଣ ବୋର୍ଡ଼, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ପତ୍ରସଂଖ୍ୟା ୪୧, ଗତ ମାସ ୨ ତରିଖରେ ନୋଟିସ୍ ଜାରି କରାଯାଇଥିଲା। ସେହିପରି ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ରୀକ୍ରୀଷ୍ଣା ଫୁଡ୍ସକୁ ପତ୍ରସଂଖ୍ୟା ୨୮୦ ତା ୨୭।୧।୨୦୨୫ରିଖ, ବରପାଲିସ୍ଥିତ ଶ୍ରୀ ମହାଲକ୍ଷ୍ମୀ ରାଇସ୍ ଇଣ୍ଡଷ୍ଟ୍ରିଜ୍କୁ ପତ୍ରସଂଖ୍ୟା ୩୮ ତା ୨।୧।୨୦୨୫ରିଖ ଏବଂ ବରଗଡ଼ ବ୍ଲକ ଧାଙ୍ଗେରସ୍ଥିତ ଶ୍ୟାମଜୀ ଫୁଡ୍ସକୁ ପତ୍ରସଂଖ୍ୟା ୨୭୭ ତା ୨୭।୧।୨୦୨୫ରିଖରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଇସ୍ ମିଲ୍ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଏଭଳି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ନୂଆ ନୁହେଁ। ପ୍ରତିବର୍ଷ ଏଭଳି ନୋଟିସ୍ ଜାରି କରାଯାଉଛି। ହେଲେ ପରବର୍ତ୍ତୀ ସମୟରେ ନିୟମ ଖିଲାପ୍କାରୀଙ୍କ ବିରୋଧରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯାନୁଷ୍ଠାନ ନେବା ପରିଲକ୍ଷିତ ହେଉ ନାହିଁ। କାର୍ଯାନୁଷ୍ଠାନ କେବଳ କାରଣ ଦର୍ଶାଅ ନୋଟିସ୍ରେ ସୀମିତ ରହି ଯାଉଥିବା ଯୋଗୁ ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ନେଇ ମଧ୍ୟ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି।