ଗଞ୍ଜାମ ଜିଲାରେ ମିଲେଟ ମିଶନର ଆଦୃତି

ବ୍ରହ୍ମପୁର,୩।୧(ଅଶୋକ କୁମାର ସାହୁ): ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ମିଲେଟ ମିଶନରେ ସାମିଲ ହୋଇଥିବା ଜିଲାଗୁଡିକ ମଧ୍ୟରେ ଗଞ୍ଜାମ ରହିଛି। ପ୍ରଥମେ ଜିଲାର ୪ଟି ବ୍ଲକରେ ଏହି ମିଶନ କାର୍ଯ୍ୟ କରୁଥିବା ବେଳେ ୨ବର୍ଷ ତଳେ ଆଉ ୩ଟି ବ୍ଲକ ଏଥିରେ ଯୋଡ଼ି ହୋଇଛି। ଜିଲାରେ ମିଲେଟ ମିଶନର ଆଦୃତି ବଢ଼ିବାରେ ଲାଗିଛି।
ପୁଷ୍ଟିକର ଶସ୍ୟ ଉତ୍ପାଦନ ପାଇଁ ଚାଷୀଙ୍କୁ ସଚେତନ କରିବା ଏବଂ କିଣାବିକାରେ ସହାୟତା କରିବା ମିଲେଟ ମିଶନର ଲକ୍ଷ୍ୟ। ‘ଆତ୍ମା’ ସ୍କିମ ଜରିଆରେ କୃଷି ବିଭାଗ ପକ୍ଷରୁ ଏହି ମିଶନକୁ ପରିଚାଳନା କରାଯାଉଛି। ଜଓ୍ବା, ଜହ୍ନା, ମାଣ୍ଡିଆ, ବାଜରା ଓ ସୁଆଁ ଆଦି ପୁଷ୍ଟିକର ଶସ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ବିଭିନ୍ନ ଅଞ୍ଚଳକୁ ‘ଆତ୍ମା’ର ଅଧିକାରୀମାନେ ଯାଇ ଏନଜିଓ ଓ ଏସଏଚଜି ଜରିଆରେ ଚାଷୀମାନଙ୍କୁ ସଚେତନ କରୁଛନ୍ତି। ପ୍ରଥମେ ପାତ୍ରପୁର, ଧରାକୋଟ, ପୋଲସରା ଓ ସୋରଡା ବ୍ଲକକୁ ମିଲେଟ ମିଶନରେ ସାମିଲ କରାଯାଇଥିଲା। ପରେ ସାନଖେମୁଣ୍ଡି, ଶେରଗଡ ଓ ଜଗନ୍ନାଥପ୍ରସାଦ ବ୍ଳକକୁ ସାମିଲ କରାଯାଇଛି। ପୁଷ୍ଟିକର ଶସ୍ୟ ମଧ୍ୟରେ ମାଣ୍ଡିଆର ଗୁରୁତ୍ୱ ଅଧିକ ରହିଛି। ସବୁ ଜଳବାୟୁରେ ମାଣ୍ଡିଆ ଚାଷ ହେଉଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହୀ ହେଉଛନ୍ତି। ଆତ୍ମା କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ଉକ୍ତ ୭ ବ୍ଲକର ୪୩୧୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪୧୩.୮୧ ହେକ୍ଟର ଚାଷ ହୋଇଥିଲା। ୨୨୦୦୦ କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ୨୫ ହଜାର କୁଇଣ୍ଟାଲ କିଣିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ ଧରାକୋଟରେ ୧୩୦୫ ହେକ୍ଟର, ପାତ୍ରପୁରରେ ୧୩୦୦, ପୋଲସରାରେ ୧୩୦୦, ସୋରଡାରେ ୧୩୦୫, ଶେରଗଡରେ ୭୦୦, ସାନଖେମୁଣ୍ଡିରେ ୭୨୦, ଜଗନ୍ନାଥପ୍ରସାଦରେ ୭୦୦ ଏଭଳି ମୋଟ ୭୩୩୦ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୭୨୨.୫୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ୩୭ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରହିଛି। ୭ ବ୍ଲକରେ ୭ ଏନଜିଓକୁ ଦାୟିତ୍ୱ ଦିଆଯାଇଛି। ମାଣ୍ଡିଆକୁ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେଶନ କିଣିବା ପରେ ସେ ଟିଡିସିସିକୁ ବିକ୍ରି କରୁଛି। ଗତବର୍ଷ ମାଣ୍ଡିଆର ଏମଏସପି କୁଇଣ୍ଟାଲ ପ୍ରତି ୩୫୭୮ ଟଙ୍କା ଥିବାବେଳେ ଚଳିତବର୍ଷ ୩୮୪୬ ଟଙ୍କା ରହିଛି। ନୂଆ ବ୍ଲକଗୁଡିକରେ ସୋସାଇଟି ଦ୍ୱାରା ମାଣ୍ଡିଆ କିଣାଯିବା ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ପ୍ରଥମ ୫ବର୍ଷ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ ୧୦ ହଜାର, ଦ୍ୱିତୀୟ ବର୍ଷ ୭୫୦୦, ତୃତୀୟ ବର୍ଷ ୫୦୦୦, ୪ର୍ଥ ଓ ୫ମ ବର୍ଷରେ ୨୦୦୦ ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ମିଲେଟ ମିଶନରେ ଅଧିକ ବ୍ଲକ ସାମିଲ ହେବାରେ ଲାଗିଛି। ଚଳିତବର୍ଷ ଏଥିପାଇଁ ୬୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଚାଷୀଙ୍କ ଆଗ୍ରହ ଦେଖି ପଦକ୍ଷେପ ନିଆଯାଉଛି। କବିସୂର୍ଯ୍ୟନଗର ବ୍ଳକ ଯୋଜନାରେ ସାମିଲ ହୋଇ ନ ଥିଲେ ମଧ୍ୟ ଚାଷୀମାନେ ମଣ୍ଡିରେ ମାଣ୍ଡିଆ ବିକିବା ଲାଗି ଅନୁମତି ମିଳିଛି। ଜିଲାପାଳଙ୍କ ଅନୁମତିକ୍ରମେ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର କହିଥିଲେ।

Share