ଭିଜିଲାନ୍ସ ହାତରେ କୋଟିପତି ଅବକାରୀ ଏସ୍‌ଆଇ

ସମ୍ବଲପୁର,୧ା୨(ବ୍ୟୁରୋ): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଅବକାରୀ ବିଭାଗରେ କାର୍ଯ୍ୟରତ ଏସ୍‌ଆଇ ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଅଧିକାରୀମାନେ ବେଲପାହଡ଼ ସ୍ଥିତ କାର୍ଯ୍ୟାଳୟ ସମେତ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀ କଲ୍ୟାଣ ନଗରର ନିଜସ୍ବ ବାସଭବନ, ଗୋବିନ୍ଦତୋଳାର ଶ୍ୱଶୁର ଘର ଓ ସ୍ତ୍ରୀ କାମ କରୁଥିବା ଜଗନ୍ନାଥ କଲୋନୀସ୍ଥିତ ଅବକାରୀ ଅଫିସରେ ଏକାକାଳିନ ଚଢାଉ କରିଥିଲେ। ମିଳିଥିବା ରିପୋର୍ଟ ଅନୁସାରେ ସମ୍ବଲପୁର ସହରରେ ତାଙ୍କର ଦୁଇମହଲା କୋଠା, ୨ ଘରବାରି ପ୍ଲଟ ଓ କଟକରେ ଗୋଟିଏ ପ୍ଲଟ ରହିଛି, ଯାହାର ମୂଲ୍ୟ ୬୨ ଲକ୍ଷ ୪୬ ହଜାର ୧୬ ଟଙ୍କା ହେବ। ବାଇକ୍‌, ଘରକରଣା ସାମଗ୍ରୀ, ସୁନାରୁପା ଅଳଙ୍କାର, ଜମି କିଣିବାକୁ ଅଗ୍ରୀମ ଦିଆଯାଇଥିବା ଟଙ୍କା ମିଶି ମୋଟ ୩୧ ଲକ୍ଷ ୩୮ ହଜାର ୩୨୫ ଟଙ୍କା ଜବତ ହୋଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ଜମା ଥିବା ୨୩ ଲକ୍ଷ ୯୮ ହଜାର ୨୮୯ ଟଙ୍କା ଓ ନଗଦ ୧୩ ହଜାର ୫୭୫ ଟଙ୍କା ଜବତ କରାଯାଇଛି। ତାଙ୍କର ମୋଟ ୧ କୋଟି ୧୭ ଲକ୍ଷ ୯୬ ହଜାର ୨୦୫ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଆକଳନ କରାଯାଇଛି। ଦେବେନ୍ଦ୍ରଙ୍କୁ ଗିରଫ ପରେ ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି।

Share