କୋଟିପତି ସହକାରୀ ଯନ୍ତ୍ରୀ ଗିରଫ: ୧୬୮ ପ୍ରତିଶତ ଅଧିକ ଆୟବହିର୍ଭୂତ ସମ୍ପତ୍ତି ଠାବ

ଭୁବନେଶ୍ୱର,୧।୧୨(ସତ୍ୟଜିତ୍‌ ରାଉତ): ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ସହକାରୀ ଯନ୍ତ୍ରୀ (ଏଇ) ସୁନୀଲ କୁମାର ପାଢ଼ୀ ବିପୁଳ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ଚଢ଼ାଉ ଓ ଯାଞ୍ଚରୁ ଏହା ଜଣାପଡିବା ପରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ତାଙ୍କୁ ଗିରଫ କରାଯାଇଛି। ସୁନୀଲଙ୍କଠାରୁ ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠାରୁ ୧୬୮ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ପତ୍ତି ସଂକ୍ରାନ୍ତରେ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାମରେ ଏକ ମାମଲା (ନଂ.୧୨/୨୦୨୩) ରୁଜୁ କରାଯାଇ ଏହି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ସୁନୀଲଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share