କୋଟି କୋଟି ଲୁଟୁଛନ୍ତି ସାଇବର ଠକ

ଭୁବନେଶ୍ୱର,୭।୫(ବ୍ୟୁରୋ): ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ ଲୋକେ ଚେତୁ ନାହାନ୍ତି। ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସୁଥିବାରୁ ରାଜ୍ୟରେ ସାଇବର ଠକ ମାତୁଛନ୍ତି। ଲୋକଙ୍କୁ ବୋକା ବନେଇ କୋଟି କୋଟି ଲୁଟୁଛନ୍ତି। ବୈଷୟିକ ଜ୍ଞାନ କୌଶଳ ଅଭାବରୁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହେଉଛି। ସାଇବର ଠକେଇ ତଦନ୍ତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛୁଆ ରହୁଥିବା କମିଶନରେଟ୍‌ ପୋଲିସ ସାଇବର ହେଲ୍ପଡେସ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟରୁ ଜଣାପଡୁଛି। ଏହି ରିପୋର୍ଟ ଅନୁଯାୟୀ ୨୦୨୧ ଫେବୃୟାରୀରୁ ଏପ୍ରିଲ ୩ମାସରେ ସାଇବର ଠକମାନେ ୩ କୋଟି ୨୪ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଛନ୍ତି। ଏଥିମଧ୍ୟରୁ କେବଳ ଏପ୍ରିଲରେ ୧କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କାର ଠକେଇ ହୋଇଛି। ଏନେଇ ୩ମାସରେ ସାଇବର ହେଲ୍ପଡେସ୍କକୁ ୧୮୭୯ ଅଭିଯୋଗ କଲ୍‌ ଆସିଛି। ଏପ୍ରିଲରେ ୪୭୬ କଲ୍‌ ଆସିଥିବାବେଳେ ଭୁବନେଶ୍ୱରରୁ ୨୨୦ ଓ ରାଜ୍ୟର ଅନ୍ୟ ଅଞ୍ଚଳରୁ ୨୫୬ କଲ ରହିଛି। ଅନ୍ୟ ମାସ ତୁଳନାରେ ଏହି ମାସରେ କମ୍‌ କଲ୍‌ ଆସିଥିଲେ ମଧ୍ୟ ଠକେଇ ପରିମାଣ ଅଧିକ ରହିଛି। ହେଲ୍ପଡେସ୍କ ପକ୍ଷରୁ ମୋଟ ୪୦ ମାମଲା ରୁଜୁ କରାଯାଇଛି। ୟୁପିଆଇ ଆଇଡି ମାଧ୍ୟମରେ ସର୍ବାଧିକ ଠକେଇ ହୋଇଛି। ପ୍ରାୟ ୪୫୧ଜଣ ୟୁପିଆଇ ଠକେଇର ଶିକାର ହୋଇଛନ୍ତି। ଏଥିସହିତ କ୍ରେଡିଟ୍‌ କାର୍ଡ କିମ୍ବା ଡେଭିଟ୍‌ କାର୍ଡରେ ୧୯୫ ଓ ଅନ୍ୟ କଲ୍‌ ତଥା ଲଟେରି, ଟିଭି ଓ ମୋବାଇଲ ରିଚାର୍ଜ, ଆଧାରକାର୍ଡ ଅପଡେଟ୍‌ ଆଦି ବାହାନାରେ ୭୪୪ ଠକେଇ ହୋଇଛି। ଗତ ଦୁଇମାସରେ ସାଇବର ହେଲ୍ପଡେସ୍କ ପକ୍ଷରୁ ସାଇବର ଠକଙ୍କ ନିକଟରୁ ମାତ୍ର ୧୪ଲକ୍ଷ ୭୫ହଜାର ୬୩୬ଟଙ୍କା ଫେରସ୍ତ ଅଣାଯାଇପାରିଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

Share