ଢେଙ୍କିକୋଟ,୧୬।୬(ଡି.ଏନ.ଏ) – କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ ହାଉସ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ସୀତାବିଞ୍ଜିଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ମେଳା ଆରମ୍ଭ ହୋଇଯାଇଛି। ସୀତାବିଞ୍ଜି ସର୍ବଭାରତୀୟ ସ୍ତରରେ ଏକ ପୌରାଣିକ ଶକ୍ତିପୀଠ ଅଟେ। ଏଠାରେ ପ୍ରତିବର୍ଷ ରଜ ସଂକ୍ରାନ୍ତି ଠାରୁ ୩ ଦିନ ବ୍ୟାପୀ ମେଳା ଅନୁଷ୍ଠିତ ହୋଇଆସୁଛି। ଦୀର୍ଘ ଦିନ ହେଲା ମାତା ସୀତା ଠାକୁରାଣୀ ଟ୍ରଷ୍ଟ ଗଠିତ ହୋଇଛି। ଏହି ଟ୍ରଷ୍ଟରେ ସଭାପତି ଦୁଃଶାସନ ନାୟକ, ସମ୍ପାଦକ ମନୋଜ କୁମାର ନାୟକଙ୍କ ସମେତ ବିଷ୍ଣୁ ମୁଣ୍ଡା, ସୂର୍ଯ୍ୟ ନାୟକ, ମଧୁସୂଦନ ନାୟକ, ଅନାଦି ନାୟକ, ଦିବାକର ନାୟକ, ଦିବ୍ୟଲୋଚନ ମହାନ୍ତ, ସୁଦର୍ଶନ ନାୟକ ପ୍ରମୁଖ ସକ୍ରିୟ ସଦସ୍ୟ ମେଳା ଦାୟିତ୍ୱ ତୁଲାଉଛନ୍ତି। ଜିଲା ପୋଲିସ ପ୍ରଶାସନ ଓ ଢେଙ୍କିକୋଟ ପୋଲିସ ବିଟ ହାଉସ ଅଧିକାରୀ ରାମଚନ୍ଦ୍ର ସଏ ସଦଳବଳେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହିଛନ୍ତି।
ଅବସରରେ ବୁଧବାର ମାଘୁ ଦେହୁରୀ, ମିଠୁ ଦେହୁରୀ, ନାରଣ ଦେହୁରୀ, କୀର୍ତ୍ତନ ଦେହୁରୀ, ରବୀନ୍ଦ୍ର ଦେହୁରୀଙ୍କ ଦ୍ୱାରା ପୂର୍ବାହ୍ନ ୬ଟାରୁ ଯଥାବିଧି ସକାଳ ଆଳତି ପୂଜା କରାଯାଇଥିଲା। ଲକ୍ଷାଧିକ ଭକ୍ତ ନଦୀରେ ବୁଡ଼ ପକାଇ ମାଆଙ୍କୁ ଦର୍ଶନ କରି ପୂର୍ବ ପୁରୁଷଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ।