ରାତିଅଧିଆ ଢାବା-ହୋଟେଲରେ ଚଢ଼ାଉ: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ

ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଜିଲା ପୋଲିସ ଏବଂ ପ୍ରଶାସନ ତରଫରୁ ଗୁରୁବାର ରାତିରେ ଜିଲାର ବିଭିନ୍ନ ଢାବା ଓ ହୋଟେଲରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରାଯାଇଛି। ଏଥିମଧ୍ୟରେ ବିଅର, ହ୍ୟୁସ୍କି, ନିବ୍‌ ଆଦି ବ୍ରାଣ୍ଡର ମଦ ରହିଛି। ଏନେଇ ଜିଲାର ବିଭିନ୍ନ ଥାନାରେ ମୋଟ ୧୫ ମାମଲା ହୋଇଥିବା ଜଣାପଡିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଢାବା ଓ ହୋଟେଲ ମାଲିକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା ପରେ କେତେକ ସର୍ତ୍ତମୂଳକ ନୋଟିସ ଜାରି କରି ଛାଡିଦେଇଛି। ପୋଲିସ ଏଭଳି ରାତିଅଧିଆ ଚଢାଉ କରିବା ଫଳରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ଢାବା ଓ ହୋଟେଲମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଜିଲାର ବିଭିନ୍ନ ଢାବା ଓ ହୋଟେଲମାନଙ୍କରେ ବେଆଇନ ମଦ କାରବାର ଚାଲିଥିବାବେଳେ ଏହାକୁ ରୋକିବାପାଇଁ ଏସ୍‌ପି ରାହୁଲ ଜୈନ ଜିଲାର ସମସ୍ତ ଥାନା ଓ ଫାଣ୍ଡିକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ପିଙ୍କ ଏହି ନିର୍ଦ୍ଦେଶକ୍ରମେ ପୋଲିସର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ।