ଗଞ୍ଜାମ,୧୧ା୫(ଡି.ଏନ୍.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର ଓ ନଦୀ ଜଳରେ ଭାସି ଯାଇଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ବେଳାଭୂମି ଉପରେ ପଡ଼ିଥିବା ଅଣ୍ଡାଗୁଡ଼ିକୁ କାଉ କୁକୁର ଖାଉଥିବା ନଜର ଆସିଛି।
ବିଗତ ବର୍ଷଗୁଡ଼ିକରେ ରେକର୍ଡ ଭାଙ୍ଗି ଚଳିତଥର ଅଧିକ କଇଁଛ ଶ୍ରୀଲଙ୍କା ଉପକୂଳରୁ ଋଷିକୂଲ୍ୟା ମୁହାଁଣକୁ ଆସି ଅଣ୍ଡା ଦେଇଥିଲେ। ହେଲେ ବାତ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଫଳରେ ଅଣ୍ଡାଗୁଡ଼ିକ ଭାସିଯାଇଛି। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଅଣ୍ଡାଗୁଡ଼ିକୁ ଉଦ୍ଧାର କରିଛି।
ଅନ୍ୟପକ୍ଷରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗୋଖରକୁଦା,ପୁରୁଣା ପୋଡ଼ମପେଟା, ନୂଆଁ ପୋଡ଼ାମ ପେଟା ଓ ପ୍ରୟାଗୀ ପ୍ରମୁଖ ଗ୍ରାମର ମତ୍ସ୍ୟଜୀବୀମାନେ ଦୁଇ ଦିନ ହେଲା ସମୁଦ୍ରକୁ ମାଛ ମାରିବାକୁ ନ ଯାଇ ଡଙ୍ଗାଗୁଡ଼ିକ ସୁରକ୍ଷିତ ସ୍ଥାନକୁ ନେଇ ଆସି ଜାଲ ସଜାଡ଼ିବାରେ ଲାଗିଥିବା ଦେଖିବାକୁ ମିଳିଛି।
ସେହିପରି ଉଚ୍ଚ ଲହଡ଼ି ପ୍ରଭାବରେ ନଦୀ କୂଳ ଖାଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି।