ଇମ୍ରାନଙ୍କ ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ଲୋକ

ଇସଲାମାବାଦ୍‌,୧୧।୪: ପାକିସ୍ତାନ ତେହରିକ୍‌-ଏ-ଇନଶାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଅନାସ୍ଥା ଭୋଟ୍‌ରେ ପରାଜିତ ହୋଇ ଗାଦିଚ୍ୟୁତ ହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଆସନ କିଏ ଅଳଙ୍କୃତ କରିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଇମ୍ରାନ ଗାଦିଚ୍ୟୁତ ହେବାପରେ ତାଙ୍କ ଲକ୍ଷ ଲକ୍ଷ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଇମ୍ରାନଙ୍କ ସମର୍ଥନରେ ଯୁବକ, ବୃଦ୍ଧ, ମହିଳାମାନେ ଅଂଶଗ୍ରହଣ କରିଛନ୍ତି। ବିକ୍ଷୋଭକାରୀମାନେ ଇମ୍ରାନ ଖାନଙ୍କ ସମର୍ଥନରେ ସ୍ଲୋଗାନ ଦେଇଛନ୍ତି।
ଇମ୍ରାନଙ୍କ ସମର୍ଥକମାନେ ଇସଲାମାବାଦ, ପେଶୱାର, କରାଚି ଏବଂ ଲାହୋର ଭଳି ସହରରେ ରାଲି କରିଥିଲେ। ଏହି ସମୟରେ ସେ ଇମ୍ରାନଙ୍କ ସମର୍ଥନରେ ଏବଂ ବିରୋଧୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଲୋକମାନେ ବ୍ୟାନର ଏବଂ ପୋଷ୍ଟର ମଧ୍ୟ ନେଇଥିଲେ। ବିକ୍ଷୋଭକାରୀମାନେ ଇମ୍ରାନଙ୍କୁ କ୍ଷମତାରୁ ହଟାଇବା ଭୁଲ ବୋଲି କହୁଥିଲେ। ଏଥି ସହିତ, ଇମ୍ରାନ ସମସ୍ତଙ୍କୁ ଏହି ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଇମ୍ରାନ ଖାନ ଇସ୍ତଫା ଦେବା ପରେ ଲୋକଙ୍କୁ କହିଥିଲେ ଯେ, ଏବେ ସ୍ବାଧୀନତା ପାଇଁ ଲଢିବାର ସମୟ ଆସିଛି। ସେ ପୁଣିଥରେ ବିଦେଶୀ ଷଡଯନ୍ତ୍ରର ବିଷୟ ଦୋହରାଇଛନ୍ତି ଏବଂ ଷଡଯନ୍ତ୍ର କରି ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି।

Share