ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ ସିରଫ୍‌ ଜବତ

ଝାରସୁଗୁଡ଼ା ଅଫିସ୍‌,୨୭।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରୁ ଏକ ବୋଲେରୋରେ କଫ୍‌ ସିରଫ୍‌ ବୋଝେଇ ହୋଇ ଝାରସୁଗୁଡ଼ା ଆସୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସମ୍ବଲପୁର ବଡବଜାରର ଅମିତ ସାହୁ(୨୯), ଝାରସୁଗୁଡା ମଙ୍ଗଳବଜାରର ଏସ୍‌.କେ. ଅମଜାଦ୍‌(୩୭), ମହମ୍ମଦ ଗୁଲାମ ଅସ୍‌ରଫ୍‌(୨୯), ଝାରସୁଗୁଡା ମିଶ୍ରଗଳିର ଅଙ୍କୁଶ ଭଗତ(୨୮), ଝାରସୁଗୁଡା ରେଲ୍‌ଓ୍ବେ କଲୋନୀର ଭରତ ସିଂହ ଯାଦବ(୨୯)। ଏମାନଙ୍କ ନିକଟରୁ ପୋଲିସ ଓଆର୍‌୨୩ ଡି-୮୫୯୮ନଂ. ବୋଲେରୋ,୧୦ପ୍ୟାକେଟ୍‌ କଫ୍‌ ସିରଫ୍‌ ଓ ୩ଟି ମୋବାଇଲ୍‌ ଫୋନ ଜବତ କରିଛି। ଜବତ କଫ୍‌ ସିରଫ୍‌ର ମୂଲ୍ୟ ୧ଲକ୍ଷ ୩୨ହଜାର ହେବ। ଏ ନେଇ ଝାରସୁଗୁଡା ଟାଉନ୍‌ ଥାନାରେ ଏକ ମାମଲା(ନଂ.୧୫୩/୨୧) ରୁଜୁ ହୋଇଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଗକୁ ହୋଲି ଥିବାରୁ ବାହାର ଜିଲାରୁ ଝାରସୁଗୁଡାକୁ କଫ୍‌ ସିରଫ୍‌ ଚାଲାଣ ହେବାନେଇ ସୂଚନା ମିଳିଥିଲା। ଏନେଇ ଝାରସୁଗୁଡ଼ା ପୋଲିସ ସଜାଗ ରହିଥିଲା । ଶୁକ୍ରବାର ଅପରାହ୍ନରେ ଝାରସୁଗୁଡା ଟାଉନ୍‌ ଥାନା ପୋଲିସ ପକ୍ଷରୁ କୋଭିଡ୍‌ ନିୟନ୍ତ୍ରଣ ପାଇଁ ବେହେରାମାଲ ରାସ୍ତାରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସୁନ୍ଦରଗଡରୁ ଏକ ବୋଲେରୋ ଆସୁଥିଲା। ପୋଲିସ ଗାଡି ଯାଞ୍ଚ ବେଳେ କଫ୍‌ ସିରଫ୍‌ ପ୍ୟାକେଟ୍‌ ରହିଥିବା ଦେଖିବାକୁ ପାଇଥିଲା। ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଯୋଗିତା ସେଠୀ ଓ ଡ୍ରଗସ୍‌ ଇନ୍ସପେକ୍ଟଟର ଜ୍ୟୋତିରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଏହାର ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ସମ୍ବଲପୁରର ଅମିତଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ବେଳେ ଅଙ୍କୁଶ ଏବଂ ଏସ୍‌କେ ଅମଜାଦ୍‌ଙ୍କ ନାମରେ ୫ଟି ମାମଲା ରହିଥିବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।