ଲକ୍ଷ ଲକ୍ଷ ବୃକ୍ଷଚାରା ଉଭାନ

ରାଉରକେଲା,୭।୭(ସଙ୍ଗୀତା ଜେନା : କିଛିବର୍ଷ ତଳେ ରାଉରକେଲା ସବୁଜିମାରେ ଭରପୂର ଥିଲା। ଇସ୍ପାତ ସହର ଜଙ୍ଗଲର ଭ୍ରମ ସୃଷ୍ଟି କରୁଥିଲା। ବନ ବିଭାଗ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଉଦ୍ୟମରେ ଉଭୟ ଶିଳ୍ପାଞ୍ଚଳ ଓ ମହାନଗର ଅଞ୍ଚଳରେ ବ୍ୟାପକ ବୃକ୍ଷରୋପଣ କରାଯାଉଥିଲା। ଫଳରେ ନୂତନ ଜଙ୍ଗଲ ସୃଷ୍ଟି ହେବା ସହ ଗ୍ରୀଷ୍ମଋତୁରେ ତାପମାତ୍ରା କମ୍‌ ରହୁଥିଲା। ବର୍ତ୍ତମାନ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ଖରାମାସରେ ତାପମାତ୍ରା ବଢିବାରେ ଲାଗିଛି। ଇସ୍ପାତ ସହର ଚତୁଃପାର୍ଶ୍ୱରେ ଥିବା ପାହାଡ଼ ତଳି ଅଞ୍ଚଳରେ ପ୍ରବଳ ଗଛ କଟାଯାଇ ଜବରଦଖଲ ହେଉଛି। ସେହିପରି ବୃକ୍ଷରୋପଣ ଯୋଜନା ମଧ୍ୟ ବିଫଳ ହେଉଛି। ଶୀତଳପଡ଼ା ଓ ଗୁରିଆଟୋଲି ଅଞ୍ଚଳରେ ଏଭଳି ଦେଖିବାକୁ ମିଳିଛି। ଗତବର୍ଷ ଲଗାଯାଇଥିବା ଚାରା ଓ ବାଡ଼ ସେଠାରେ ନାହିଁ। ଏଭଳି ଭାବେ ପ୍ରତିବର୍ଷ ଲକ୍ଷ ଲକ୍ଷ ବୃକ୍ଷଚାରା ରୋପଣ କରାଯାଉଥିଲେ ମଧ୍ୟ ଜବରଦଖଲ ଯୋଗୁ ସେଗୁଡିକୁ ନଷ୍ଟ କରିଦିଆଯାଉଛି।
ସାମାଜିକ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଉଛି। ହେଲେ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ସେହି ଗଛଗୁଡିକ ନଷ୍ଟ ହୋଇଯାଉଛି। ସହରରେ ଜବରଦଖଲ ଯୋଗୁ ବୃକ୍ଷରାଜି ଓ ଛୋଟ ଛୋଟ ଗଛ ଗୁଡ଼ିକ ପଦା କରିଦିଆଯାଉଛି। ପ୍ରଶାସନ ପକ୍ଷରୁ ବୃକ୍ଷରୋପଣ କରାଯାଉଥିବା ସ୍ଥାନ ଗୁଡ଼ିକରେ ଗାଈଗୋରୁଙ୍କଠାରୁ ରକ୍ଷା ପାଇଁ ତାରବାଡ଼ ଓ ପାଚେରି ମଧ୍ୟ ଗାଏବ ହୋଇଯାଉଛି। ଗୁରିଆଟୋଲିର ତେଜରାତି ଦୋକାନୀ ରମେଶ ସାହୁ କହିଛନ୍ତି, ଗତବର୍ଷ ପ୍ରଶାସନ ଓ ଆର୍‌ଏସ୍‌ପି ପକ୍ଷରୁ ବ୍ୟାପକ ଚାରାରୋପଣ କରାଯାଇଥିଲା। ହେଲେ କିଛି ଲୋକ ଏହାକୁ ନଷ୍ଟ କରିବା ସହ ପାଚେରି ଓ ତାରବାଡ଼କୁ ମଧ୍ୟ ଚୋରି କରିନେଲେ। ଏ ସମ୍ପର୍କରେ ରାଉରକେଲା ବନଖଣ୍ଡ ଡିଏଫ୍‌ଓ ଯଶୋବନ୍ତ ସେଠୀ କୁହନ୍ତି, ପୂର୍ବବର୍ଷ ୯,୯୦,୦୦୦ ଚାରା ରୋପଣ କରାଯାଇଥିବା ବେଳେ ଚଳିତବର୍ଷ ଏହା ପ୍ରାୟ ୪,୧୭,୦୦୦କୁ ଖସି ଆସିଛି। ଶୀତଳପଡ଼ା ବସ୍ତି ନିକଟରେ ପ୍ରାୟ ୫୦ ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଇଥିଲା। ହେଲେ ତାହା ପଦା ହୋଇଯାଇଛି। ସେହିପରି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ପୂର୍ବବର୍ଷ ୪୦,୦୦୦ ଚାରା ଲଗାଇବାକୁ ବରାଦ କରିଥିଲେ। ଚଳିତ ବର୍ଷ ଜାଗା ଅଭାବରୁ ୧୦ ହଜାରରେ ସୀମିତ ରହିଛି। ଜବରଦଖଲ ଯୋଗୁ ଗଛଗୁଡିକୁ ସୁରକ୍ଷିତ ରଖିବା କଷ୍ଟକର ହୋଇପଡ଼ୁଛି। ଜୁଲାଇ ୧ରୁ ବନ ମହୋତ୍ସବ ଆରମ୍ଭ ହୋଇଛି। ସାମାଜିକ ଅନୁଷ୍ଠାନ ଓ ସ୍କୁଲ କଲେଜ ଆଦିଙ୍କୁ ବହୁଳ ଗଛ ଲଗାଇ ଏହାର ଯତ୍ନ ନେବାକୁ ଆମେ କହୁଛୁ। ଲୋକଙ୍କୁ ସୁବିଧାରେ ଚାରା ପ୍ରଦାନ ପାଇଁ ବିଶ୍ରା ଓ ଡିଏଭି ଛକରେ ଚାରା ପ୍ରଦାନ କେନ୍ଦ୍ର ଖୋଲାଯାଇଛି। ଏହାସହ ଅତ୍ୟାଧୁନିକ କୌଶଳରେ ଚାରାକୁ ବନ ବିଭାଗ ଦ୍ୱାରା ତିଆରି ‘ଆପ୍‌’ ସାହାଯ୍ୟରେ ବରାଦ କରିବା ବ୍ୟବସ୍ଥା କରାଯାଉଛି ବୋଲି ସେଠୀ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଚଳିତବର୍ଷ ରାଉରକେଲା ବନଖଣ୍ଡ ପକ୍ଷରୁ ପାନପୋଷ ରେଞ୍ଜ୍‌ ଅନ୍ତର୍ଗତ ମୁଣ୍ଡାଜୋର, ସେକ୍ଟର-୮ ଗ୍ରୀନ୍‌ପାର୍କ, କୁଦରବାହାଲ, ଲାଠିକଟା, ହାତୀବନ୍ଧା ନର୍ସରୀ ସମେତ ଛେଣ୍ଡ ନିକଟ ବାଗବୁଡ଼ି ରେଞ୍ଜ୍‌ ଅଫିସ କ୍ୟାମ୍ପସରେ ଚଳିତ ବର୍ଷ ୩,୬୪୦୦୦ ବିଭିନ୍ନ ଫଳ ଫୁଲ, ଔଷଧୀୟ ଚାରା ଉପଲବ୍ଧ ରହିଛି। ସେହିପରି କୁଆଁରମୁଣ୍ଡା ରେଞ୍ଜ୍‌ରେ ୩,୪୨,୦୦୦, ବିରମିତ୍ରପୁର ୨,୮୨୦୦୦, ରାଜଗାଙ୍ଗପୁର ୨,୯୦୦୦୦, ବିଶ୍ରା ୨,୫୨,୦୦୦ ଓ ବାଙ୍କି ରେଞ୍ଜ୍‌ରେ ୧,୮୦,୦୦୦ ଚାରା ରହିଛି।