Advertisement

କୁଶେଇ ନଦୀରେ ଭାସୁଛି ଲକ୍ଷାଧିକ ଟଙ୍କାର ଗଛ ଚାରା: ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

କେନ୍ଦୁଝର, ୨୫।୮(ସ୍ବ.ପ୍ର.): ସରକାର ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଚାରା ସୃଷ୍ଟି କରିବା ପାଇଁ ନର୍ସରି ତିଆରି କରିଛନ୍ତି। ମାତ୍ର ଜଙ୍ଗଲ ବିଭାଗର ଅବହେଳା ଓ ବ୍ୟାପକ ଦୁର୍ନୀତି ଯୋଗୁ ଉକ୍ତ ଯୋଜନାଗୁଡିକର ସଫଳ ରୂପାୟନ ହୋଇ ପାରୁ ନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଅନେକ ସମୟରେ ଚାରା ନଷ୍ଟ ହେଉଛି। କେନ୍ଦୁଝର ଜିଲା ଦୈତାରି ରେଞ୍ଜର ରେବଣାପଳାଶପାଳ ନିକଟସ୍ଥ କୁଶେଇ ନଦୀରେ ବହୁ ସଂଖ୍ୟାରେ ଚାରା ଭାସୁଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି। ଅଧିକାଂଶ ଚାରା ପାଣିର ସ୍ରୋତରେ ଭାସି ଯାଇଥିବା ବେଳେ ଆଉକିଛି ଚାରା ନଦୀ କୂଳରେ ଭାସୁଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ଚାରା ରୋପଣ ନିମନ୍ତେ ଅନେକ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ମୂଲ୍ୟବାନ ଗଛର ଚାରାଗୁଡିକୁ ୩ଦିନ ପୂର୍ବେ କୁଶେଇ ସେତୁ ନିକଟସ୍ଥ ନଦୀରେ ପକାଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମୂଲ୍ୟବାନ ଗଛ ଯେପରି ପିଆଶାଳ, ଶାଗୁଆନ, ଚାଖୁଣ୍ଡା, ଶିଶୁ, ଅଁଳା, ଲିମ୍ବ, ବରଡ଼ା, କାଜୁ ଭଳି ବିଭିନ୍ନ ପ୍ରକାରର ଲକ୍ଷାଧିକ ଟଙ୍କାର ହଜାର ହଜାର ଚାରା ବ୍ୟବହାର ନ କରି ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହେଉଛି। ଏଣୁ ଏହାର ତଦନ୍ତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଲୋକମାନଙ୍କୁ ଚାରା ଦେବା ପାଇଁ ବିଭାଗ ଏତେ ନିୟମ ପାଳନ କରୁଥିବା ବେଳେ ରାଜସ୍ବ ପାଣ୍ଠିରୁ ଲକ୍ଷାଧିକ ଟଙ୍କାର ଚାରା କେଉଁ କାରଣରୁ ରୋପଣ ବଦଳରେ ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏଥିପ୍ରତି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟିଦେଇ ଯଥାଶୀଘ୍ର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share