ମୀନକେତନଙ୍କୁ ‘ଗ୍ରେଟ୍‌ ଇଭାନଜେଲିଷ୍ଟ ଅଫ୍‌ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଭାରତୀର ଶିକ୍ଷା କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ଲାଗି ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷ ଡ. ମୀନକେତନଙ୍କୁ ‘ଗ୍ରେଟ୍‌ ଇଭାନଜେଲିଷ୍ଟ ଅଫ୍‌ ଇଣ୍ଡିଆ’ ସମ୍ମାନ ମିଳିଛି। ଅନ୍ତର୍ଜାତୀୟ ସଂଗଠନ ଫୋର୍ବସ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି। ପୁରସ୍କାର ପାଇଥିବା ଦେଶର ୪୦ ଜଣ ବିଶିଷ୍ଟ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଡ. ମୀନକେତନ ଅନ୍ୟତମ ରହିଛନ୍ତି। ଅହମ୍ମଦାବାଦଠାରେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କଥାକାର ଓ ଔପନ୍ୟାସିକ ଚେତନ ଭଗତଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶୁକ୍ରବାର ଫୋର୍ବସ ଇଣ୍ଡିଆ ତରଫରୁ ଏନେଇ ସୂଚନା ଦିଆଯାଇଛି। ଡ. ମୀନକେତନ କିପରି ୧୯୮୯ରେ ଭୁବନେଶ୍ୱର ଶିଖରଚଣ୍ଡୀସ୍ଥିତ ଏକ ବସ୍ତି ଅଞ୍ଚଳରେ ସ୍କୁଲଟିଏ ତିଆରି କରି ଶିକ୍ଷାକ୍ଷେତ୍ରରେ ଆନ୍ଦୋଳନ ଆରମ୍ଭ କରିଥିଲେ ସେ ସମ୍ପର୍କରେ କୁହାଯାଇଛି। ୧୦ଜଣ ଛାତ୍ରରୁ ଆରମ୍ଭ ହୋଇଥିବା ଏହି ସ୍କୁଲ୍‌ ଆଜି ଏକ ଆନ୍ତର୍ଜାତିକ ମାନର ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷା ଜଗତରେ ଡ. ମୀନକେତନଙ୍କ ଅମୂଲ୍ୟ ଯୋଗଦାନ ତାଙ୍କୁ ସୁନାମଧନ୍ୟ କରିପାରିଛି। ଏଥିସହିତ ଜଣେ ମୋଟିଭେଶନାଲ୍‌ ଲେଖକ ଓ ବକ୍ତା ଭାବେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ପ୍ରାୟ ୧୬ଟି ଓଜସ୍ବିନୀ ପୁସ୍ତକ ଲେଖିବା ସହ ନିରନ୍ତର ଜନହିତୈଷୀ ସେବା କରି ରାଷ୍ଟ୍ରପତି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଏହା ହିଁ ଫୋର୍ବସ ଇଣ୍ଡିଆ ଦୃଷ୍ଟିରେ ଏକ ନିଆରା ଉଦାହରଣ ବୋଲି କୁହାଯାଇଛି।

Share