ମନଛୁଇଁବ ମେଲୋଡି

ବଇଣ୍ଡା, ୨୮ା୯ (ଡି.ଏନ.ଏ.): ମା’ ଆସୁଥିବାରୁ ରାତିଦିନ ଚାଲିଛି ସାଜସଜ୍ଜା। ଚଳଚଞ୍ଚଳ ହୋଇଉଠିଛି ଆଠମଲ୍ଲିକ ବ୍ଲକ ସାନହୁଲା ଅଞ୍ଚଳ। ଚଳିତବର୍ଷ ୨୯ ବର୍ଷରେ ପଦାର୍ପଣ କରୁଥିବା ସାନହୁଲା ପୂଜା କମିଟି ପକ୍ଷରୁ ଜାରିରହିଛି ବ୍ୟାପକ ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଲୋକଙ୍କ ମନଛୁଇଁବ ମେଲୋଡି କାର୍ଯ୍ୟକ୍ରମ।
କମିଟି ପକ୍ଷରୁ କୁହାଯାଇଛି, ସାନହୁଲାରେ ୧୯୯୩ ମସିହାରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା। ଗ୍ରାମର ଧ୍ରୁବ ଚରଣ ନାୟକ, ଭଗବାନ ସାହୁ, ଭିକାରିବନ୍ଧୁ ସାହୁ, ନରହରି ବେହେରା, ସୁଶାନ୍ତ ସ୍ବାଇଁ, ଲମ୍ବୋଦର ବେହେରା ଏହାର ଆୟୋଜନ କରିଥିଲେ। ଗ୍ରାମବାସୀଙ୍କଠାରୁ ଆଦାୟ ହୋଇଥିବା ୪ ହଜାର ଟଙ୍କାରେ ପୂଜା ପାଳନ କରାଯାଇଥିଲା। ଚଳିତବର୍ଷର ପୂଜା ୨୯ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବାବେଳେ ଏଥର ବଜେଟ୍‌ ୩ ଲକ୍ଷ ଟଙ୍କା ରଖାଯାଇଛି। ବଡବର ଅଞ୍ଚଳର ମୂର୍ତ୍ତି କାରିଗର ବସନ୍ତ କୁମାର ମା’ଙ୍କ ୮ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରୁଛନ୍ତି। ସେହିପରି ମା’ଙ୍କ ମେଢ଼ର ଉଚ୍ଚତା ୧୦ ଫୁଟ ରଖାଯାଇଥିବା ବେଳେ ଏହା ଯେପରି ମଣ୍ଡପର ଶୋଭା ବଢ଼ାଇବ ତାହା ଉପରେ ଦୃଷ୍ଟି ଦିଆଯାଇଛି। ତେବେ ସାଜସଜ୍ଜା ସହ ଲୋକଙ୍କ ମନୋରଞ୍ଜନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପୂଜା ୪ ଦିନ ମଣ୍ଡପ ନିକଟରେ ମେଲୋଡି ଓ ସଂକୀର୍ତ୍ତନ ପରିବେଷଣର ଯୋଜନା ରଖାଯାଇଛି। କଟକରୁ ଆସୁଥିବା ଏକ ମେଲୋଡି ପାର୍ଟି ୨ ଦିନ ଏଠାରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଆଉ ୨ ଦିନ ନାମ ସଂକୀର୍ତ୍ତନ କରାଯିବ। ଏଥିସହ ଶ୍ରଦ୍ଧାଳୁମାନଙ୍କୁ ଦିନଟିଏ ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଯେପରି ମା’ଙ୍କ ପ୍ରସାଦ ପାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ଏହି ପୂଜା ଦେଖିବାକୁ ଆଖପାଖ ଅଞ୍ଚଳ ସମେତ ଷୋଳପଦାର ଲୋକେ ଆସୁଥିବାରୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ପାଇଁ ସାନହୁଲା ଦୁର୍ଗାପୂଜା କମିଟି, ଯୁବକ ସଂଘ, ଗ୍ରାମବାସୀ ଓ ପଞ୍ଚାୟତର କର୍ମକର୍ତ୍ତାମାନେ ଏକଜୁଟ ହୋଇ ଲାଗିପଡିଛନ୍ତି।