ଆଜି ରିଲିଜ୍‌ ହେବ ‘ମାଇଣ୍ଡ୍‌ ଗେମ୍‌’

ଭୁବନେଶ୍ୱର,୬।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଏଥର ଫିଲ୍ମ ଫ୍ରାଇଡେ’ରେ ଦର୍ଶକଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ କାହାଣୀର ୪ଟି ସିନେମା। ଓଡ଼ିଆ ଚଳଚ୍ଚିତ୍ର ‘ମାଇଣ୍ଡ୍‌ ଗେମ୍‌’ ଓ ‘କାଇଁଚମାଳି’କୁ ଟକ୍କର ଦେବ ବଲିଉଡ୍‌ର ‘ମିଶନ୍‌ ମଙ୍ଗରାଜ୍‌’ ଓ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ’। ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ପ୍ରସ୍ତୁତ ହୋଇଛି ‘ମାଇଣ୍ଡ୍‌ ଗେମ୍‌’। ଏହାର ନିର୍ମାଣ ବହୁ ପୂର୍ବରୁ ସରିଥିଲେ ମଧ୍ୟ ଆଇନଗତ କାରଣରୁ ରିଲିଜ୍‌ ହୋଇପାରୁ ନ ଥିଲା। ଏହାକୁ ଦର୍ଶକମାନେ ଚାହିଁ ବସିଛନ୍ତି। ତେବେ ଦୀର୍ଘଦିନ ପରେ ପୁଣି ପାର୍ବଣ ପୂର୍ବରୁ ପ୍ରେକ୍ଷାଳୟକୁ ଆସୁଥିବାରୁ ଭଲ ବେପାର ହେବ ବୋଲି ପ୍ରଯୋଜକ ଓ ହଲ୍‌ ମାଲିକ ଆଶା ରଖିଛନ୍ତି। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନେତା ମନୋଜ ମିଶ୍ର ରହିଥିବାବେଳେ ଟଲିଉଡ୍‌ ତଥା ବଲିଉଡ୍‌ର ୩ଜଣ ଆଗଧାଡ଼ିର ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା, ତନକିଲ୍ଲା ଭର୍ଣ୍ଣିଙ୍କ ସହିତ ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର, ଅପସରା ରାଣୀ, ମମତା ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି। ତେଲୁଗୁ ସିନେମାର ନିର୍ଦ୍ଦେଶକ ରାଜେଶ ଟଚରିଭର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
ସେହିପରି ଗାଁ ମାଟିର ପାଣିପବନ, ଓଡ଼ିଆ ସଂସ୍କୃତି, ପରିବାରର ସମ୍ପର୍କକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ‘କାଇଁଚମାଳି’। ମହେଶ ହାଜରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସତ୍ୟଜିତ ବାଗ ପ୍ରଯୋଜକ ରହିଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଶୁଭାଶିଷ ଶର୍ମା, ସୁପ୍ରିୟା ନାୟକ, ନମ୍ରତା ଥାପା, ଦୁଷ୍ମନ୍ତ ପଣ୍ଡା, ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ରହିଛନ୍ତି। କାହ୍ନା ଓ ପୂର୍ଣ୍ଣିମା ୨ ଭଉଣୀ, ଭାଇଙ୍କ ଏକ ନିଆରା ସମ୍ପର୍କ ଏହି ଫିଲ୍ମରେ ଦେଖିବାକୁ ମିଳିବ।
ଅନ୍ୟପକ୍ଷରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ‘ମିଶନ୍‌ ରାଣୀଗଞ୍ଜ: ଦ ଗ୍ରେଟ୍‌ ଭାରତ୍‌ ରେସ୍କ୍ୟୁ’ ମଧ୍ୟ ଶୁକ୍ରବାର ପ୍ରେକ୍ଷାଳୟକୁ ଆସୁଛି। ୧୯୮୯ରେ ରାଣୀଗଞ୍ଜଠାରେ କୋଲ୍‌ ମାଇନ୍‌ ରେସ୍କ୍ୟୁ ଅପରେଶନ ଯଶୱନ୍ତ ସିଂଙ୍କ ସଫଳତା ଉପରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଯଶୱନ୍ତଙ୍କ ଚରିତ୍ରରେ ଅକ୍ଷୟ କୁମାର ନଜରକୁ ଆସିଥିବାବେଳେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ଭିନ୍ନ ଅନୁଭବ ଦେବ। ଅନ୍ୟମାନଙ୍କ ମଧ୍ୟରେ କୁମୁଦ ମିଶ୍ରା, ରାଜେଶ ଶର୍ମା, ଦିବ୍ୟେନ୍ଦୁ ଭଟ୍ଟାଚାର୍ଯ୍ୟ, ପୱନ୍‌ ମାଲହୋତ୍ରା ପ୍ରମୁଖ ଏଥିରେ ଅଭିନୟ କରିଛନ୍ତି। ଟିନା ସୁରେଶ ଦେଶାଇ ଏହାର ନିର୍ଦ୍ଦେଶକ ଥିବା ବେଳେ ବାସୁ ଭାଗନାନି, ଜ୍ୟାକି ଭାଗନାନି, ଦୀପ୍‌ଶିଖା ଦେଶମୁଖ୍‌ ପ୍ରଯୋଜକ ରହିଛନ୍ତି। ସେହିପରି ବଲିଉଡର ୫ ଅଭିନେତ୍ରୀଙ୍କୁ ଏକାଠି ନେଇ ଫିଲ୍ମ ‘ଥ୍ୟାଙ୍କ ୟୁ ଫର୍‌ କମିଙ୍ଗ’ ରିଲିଜ ହେଉଛି। ବଲିଉଡ୍‌ର ଚୁଲବୁଲି ନାୟିକା ଶେହେନାଜ ଗିଲ୍‌, ଭୂମି ପେଡ୍‌ନେକର୍‌, ଡଲି ସିଂ, କୁଶା କପିଳା, ଶିବାନି ବେଦିଙ୍କୁ ଏଥିରେ ଦେଖିବାକୁ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ଅନିଲ କପୁର୍‌, କରନ୍‌ କୁନ୍ଦ୍ରା ପ୍ରମୁଖ ରହିଛନ୍ତି। କନିକା କପୁର୍‌ ଚରିତ୍ରରେ ଭୂମି ନଜରକୁ ଆସିଛନ୍ତି। କନିକାଙ୍କ ଅନେକ ସମ୍ପର୍କ ଭାଙ୍ଗିବା ପରେ ସେ ଶେଷରେ ଆରେଞ୍ଜ ମ୍ୟାରେଜ୍‌ କରୁଛନ୍ତି। ମାତ୍ର ତାଙ୍କ ବାହାଘରରେ କ’ଣ ହେଉଛି ତାହା ପ୍ରେକ୍ଷାଳୟ ଯାଇ ଦେଖିଲେ ହିଁ ଜଣାପଡ଼ିବ।

Share