ସେବାରେ ମାନସ

ସେ ଜଣେ କଲେଜ ଛାତ୍ର। କିନ୍ତୁ ବିଭିନ୍ନ ସେବା ଓ ଜନସଚେତନତା କାର୍ଯ୍ୟ କରିବାରେ ତାଙ୍କର ରହିଛି ଅଭିଜ୍ଞତା। ସେ ହେଲେ ମାନସ କୁମାର ସାହୁ ।
ଘର ଖୋର୍ଦ୍ଧା ଜିଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡ଼ି ଗାଁରେ। ଏମ୍‌ଏସ୍‌ଡବ୍ଲ୍ୟୁ ପଢ଼ା ସାରିଛନ୍ତି। ସେ କୁହନ୍ତି, ସ୍କୁଲ ବୟସରୁ ଜନସେବାକୁ ଜୀବନର ବ୍ରତ ଭାବେ ପାଳନ କରିଆସୁଛି। ଆମ ଘର ପାଖରେ ରହୁଥିଲେ କେତେଜଣ ଆଦିବାସୀ ପରିବାର। ସେମାନଙ୍କର ପିଲାମାନେ କେହି କେହି ଆଦୌ ସ୍କୁଲ ଯାଉ ନ ଥିବାବେଳେ ଆଉ କିଛି ପିଲା ଅଧାରୁ ପାଠ ଛାଡ଼ିଥିଲେ। ସେଇ ପିଲାଙ୍କୁ ପାଠପଢ଼ାଇବା ପାଇଁ ଚିନ୍ତାକଲି। ପ୍ରଥମେ ୬ଜଣ ପିଲାଙ୍କ ପାଇଁ ମୋ ପକେଟ୍‌ ମନିରେ ୮ଖଣ୍ଡ ଛବିବହି, ଖାତା କିଣି ସେମାନଙ୍କୁ ପ୍ରଦାନ କରିଥିଲି। ବଳକା ସମୟରେ ସେମାନଙ୍କୁ ମାଗଣାରେ ପାଠପଢ଼ାଇଥିଲି। ସମୟକ୍ରମେ ସେମାନଙ୍କ ମଧ୍ୟରୁ କେତେଜଣ ପିଲା ସ୍କୁଲରେ ପଢିଲେ। ପରେ ଅନ୍ୟମାନଙ୍କୁ ସ୍କୁଲ ଯିବାରେ ସଚେତନ କରାଇଥିଲି। ଏଥିପାଇଁ ଆମ କଲେଜର ସାର୍‌ ମୋତେ ପ୍ରଶଂସା କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନି। ଗାଁରେ ବିଭିନ୍ନ ସାମାଜିକ କାର୍ଯ୍ୟ ହେଉ କି ଜନସେବା, ସବୁଥିରେ ଯୋଗଦେଇଥାଏ। କୌଣସି ଜନହତିକର କାର୍ଯ୍ୟକୁ ଛୋଟବଡ଼ ନ ଭାବି ନିଜର କର୍ତ୍ତବ୍ୟ ବୋଲି ମନେକରି କରିଥାଏ। କରୋନା ସମୟରେ ସାନିଟାରି ଓ ମାସ୍କ ବ୍ୟବହାର ପାଇଁ ଗାଁ ଗାଁ ବୁଲି ଜନସଚେତନତା କରାଇଥିଲି। ବୃକ୍ଷରୋପଣ, ରକ୍ତଦାନ ଶିବିର ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଥାଏ। ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପଦରେ ମୋ ସାଧ୍ୟମତେ ଅସହାୟଙ୍କୁ ସାହାଯ୍ୟ କରିଥାଏ। ଏବେ ନିଜର ରୋଜଗାର ପାଇଁ ଗୋଟିଏ ଛୋଟ ଭେରାଇଟି ଷ୍ଟୋର ଓ ଜେରକ୍ସ ମେଶିନ ରଖି କାମ କରୁଛି। ଏକ ସରକାରୀ ସ୍କୁଲରେ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟ କରୁଛି। ମୋର ସେବା କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ ହୋଇଛି; ଯାହା ମତେ ଆତ୍ମସନ୍ତୋଷ ଦେଇଛି।