ଖଳ କବଳରେ ଖଣିର ଖଜଣାଖାନା

ମାୟାଧର ନାୟକ

 

ଆନ୍ତର୍ଜାତିକ ମହାଜନି ମାଫିଆର କୂଟଚକ୍ରାନ୍ତରେ ଶାସନ ପ୍ରଶାସନର ମଧ୍ୟସ୍ଥତାରେ ଶିକାର ହେଉଛି ସାଧାରଣ ଜନତା। ଖଣିଜ ପଦାର୍ଥକୁ ସାମଗ୍ରୀରେ ପରିଣତ କରିବାର କାରିଗରି କୌଶଳଠାରୁ ଆଜି ଆମେ ଅପହଞ୍ଚ ଦୂରତ୍ୱରେ। ଏଥିପାଇଁ ଆବଶ୍ୟକ ବୈଷୟିକ, ବୈଜ୍ଞାନିକ ଜ୍ଞାନ ଓ ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ। ଏସବୁର ଅଭାବ ଅନୁଭୂତ ହେଉଥିବା ପର୍ଯ୍ୟନ୍ତ ଖଣିଜ ପଦାର୍ଥର ଭବିଷ୍ୟତ ଘୋର ଅନ୍ଧକାରରେ ରହିବ।
ପାଖାପାଖି ୫୦ପ୍ରକାର ଖଣିଜସମ୍ପଦ ସଭ୍ୟତାର ବିକାଶରେ ପ୍ରୟୋଜନ । ଏହି ଖଣି ପାଇଁ ସବୁ ଦେଶର ଧନଦାନବମାନେ ପାଗଳ । ପୃଥିବୀରୁ ଚନ୍ଦ୍ରକୁ ଯାଇ ଖଣିଜସମ୍ପଦ ଖୋଜୁଛନ୍ତି। ଅର୍ଥନୈତିକ ବିକାଶ ଓ ଜାତୀୟ ସୁରକ୍ଷା ପାଇଁ ଖଣିଜପଦାର୍ଥ କେବଳ ଭାରତ ନୁହେଁ, ସାରା ବିଶ୍ୱ ପାଇଁ ଆବଶ୍ୟକ। ଲୁହାପଥର, କ୍ରୋମାଇଟ୍‌, କୋଇଲା, ମାଙ୍ଗାନିଜ୍‌, ବକ୍‌ସାଇଟ୍‌, ହୀରା, ସୁନା, ମଣି, ମାଣିକ୍ୟ ପ୍ରମୁଖ ୩୨ ପ୍ରକାର ଏବଂ ଖଣିଜସମ୍ପଦ ଲିଥିୟମ, କୋବାଲ୍ଟ, ନିକେଲ୍‌, ଭାଣ୍ଡାଡିୟମ୍‌, ନିଓବିୟମ୍‌, ସେରାମନିୟମ, ଫେନିୟମ, ବେରିଲିୟମ, ଟାଣ୍ଟାଲିୟମ୍‌, ଷ୍ଟ୍ରୋଟିଲିୟମ୍‌, ଆଣ୍ଟିମନି, ବିସ୍‌ମୁଥ, କପର, ଗାଲିୟମ, ଗ୍ରାଫାଇଟ୍‌, ହାଫନିୟମ୍‌, ଇଣ୍ଡୁଏମ୍‌, ମୋଲିବେଭନିୟମ୍‌, ପ୍ଲାଟିନମ୍‌ ଗ୍ରୁପ୍‌, ଫସ୍‌ଫରସ୍‌ ୟିଙ୍ଗସ୍‌, ପଟାସ୍‌, ରେଆର ଇରଥିଏଲିମେଣ୍ଟ୍‌ସ, ସିଲିକନ୍‌, ଟେଲିଟୁରିୟମ୍‌, ଟିନ୍‌, ଟାଟାନିୟମ, ଟୁଙ୍ଗଷ୍ଟେନ୍‌ ଜିରାକୋନିୟମ, ସିଲେନିୟମ୍‌, କାଡମିୟମ୍‌ ପ୍ରଭୃତି ୩୦ ପ୍ରକାର ପାତାଳରେ କିମ୍ବା ପାହାଡ଼ପର୍ବତରେ ରହିଛି ।
ଏ ସମସ୍ତ ଖଣିଜସମ୍ପଦ ସକଳ ଭୂଭାଗରେ ବିଚ୍ଛୁରିତ। ପୃଥିବୀପୃଷ୍ଠରେ ଯିଏ ଯେଉଁଠି ଦେଶ ଗଢ଼ି ବସବାସ କରୁଛନ୍ତି, ସେ ଭୂଖଣ୍ଡଗତ ଖଣିଜ ସମ୍ପଦାବଳୀର ତ ସେଇ ସେଇ ଦେଶ ମାଲିକ । ଖଣିଜସମ୍ପଦ ଆମଦାନୀ-ରତ୍ପାନି କରାଯାଏ । ଏଇସବୁ ଖଣିଜସମ୍ପଦରୁ ଯେଉଁସବୁ ପଦାର୍ଥ ପ୍ରସ୍ତୁତ ହୁଏ, ତା’ ଅମୂଲମୂଲ । ଯାହା ପାଖରେ ଅର୍ଥ ସେ ହାତେଇନେଇ ବିଭିନ୍ନ ପଦାର୍ଥ ପ୍ରସ୍ତୁତ କରି ପୁଣି ଆମଦାନୀ କରି ଆଣିଥିବା ଦେଶକୁ ବି ବେଶ୍‌ ଚଢ଼ାଦରରେ ରତ୍ପାନି କରିବା ଦ୍ୱାରା ଆଖିବୁଜା ମୁନାଫା ଅର୍ଜିପାରେ । ସୁତରାଂ ଯିଏ ଯେତେ ବେଶି ମୁଣ୍ଡ ଖଟାଇଲା ସେଇ ଦେଶ ସେତେ ବେଶି ଲାଭ ହାତେଇପାରିଲା । ଯେଉଁମାନେ ମୁଣ୍ଡ ଖଟେଇ ପାରନ୍ତି ନାହିଁ, ସେମାନେ ଭାରତ ଭଳି ଖଣିଜ କଞ୍ଚାମାଲକୁ ବିକାବିକି କରନ୍ତି, ସେ ଦେଶର ଲୋକେ ହତଭାଗା । ଆମ ସରକାର ନିଜର ଅପହୃତ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟିହୀନତା ପାଇଁ ଦୁର୍ମୂଲ୍ୟ ଖଣିଜସମ୍ପଦକୁ ଖଣିରୁ ବାହାରକରି କଳକାରଖାନାରେ ବ୍ୟବହାର କରିବା ପର୍ଯ୍ୟନ୍ତ ଯେଉଁସବୁ କାର୍ଯ୍ୟ କରିବା ଆବଶ୍ୟକ ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଖଣିଜସମ୍ପଦ ଯେନତେନ ପ୍ରକାରେଣ କାଢ଼ି ବସ୍ତାବସ୍ତା ଅର୍ଥ ସାଇତିବା ହେଲା ମୂଳଲକ୍ଷ୍ୟ।
ଏସିଆ ମହାଦେଶର କେବଳ ଓଡ଼ିଶାର ସୁକିନ୍ଦାରେ ୯୮% କ୍ରୋମପଥର ଅଛି। ପୃଥିବୀରେ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, କାଜାକ୍‌ସ୍ତାନରେ ଗଚ୍ଛିତ କ୍ରୋମ ପଥର ଉପରେ ସମଗ୍ର ବିଶ୍ୱ ନିର୍ଭରଶୀଳ। କ୍ରୋମର ବ୍ୟବହାର ସମ୍ପର୍କରେ କେବଳ ଓଡ଼ିଶାବାସୀ ନୁହନ୍ତି ସାରା ପୃଥିବୀର ସାଧାରଣ ମଣିଷଙ୍କର ବିଶେଷ ଜ୍ଞାନ ନାହିଁ। କ୍ରୋମ ପଥର ବିଶେଷଭାବରେ ଯୁଦ୍ଧାସ୍ତ୍ର ନିର୍ମାଣ କରିବାରେ ସହାୟକ। ଇସ୍ପାତ ସହିତ ଏହାକୁ ମିଶ୍ରଣ କରାଯାଇ ଶକ୍ତିଶାଳୀ କ୍ଷୟରୋଧକ ମିଶ୍ରଧାତୁ ପ୍ରସ୍ତୁତ ହୁଏ। ବିଶ୍ୱରେ ଯେତେ ଯନ୍ତ୍ରପାତି ବ୍ୟବହାର ହେଉଛି, ସେଥିରେ କ୍ରୋମାଇଟ ହିଁ ମୁଖ୍ୟ ଅଂଶଗ୍ରହଣ କରେ। ବଲ୍‌ବ ବେରିଙ୍ଗଠାରୁ ଆରମ୍ଭକରି କ୍ରୋମ ମିଶ୍ରିତ ଇସ୍ପାତ ସବୁଠୁ ଶକ୍ତିଶାଳୀ ଯନ୍ତ୍ରାଂଶ ପ୍ରସ୍ତୁତ ହୋଇଥାଏ।
ଦଧୀଚିର ଅସ୍ଥି- ଯାହାକୁ ନେଇ ବଜ୍ର। ଏ କ୍ରୋମାଇଟ ହେଉଛି କଳିକାଳର ଦଧୀଚି ହାଡ଼ – ଯାହାକୁ ନେଇ ଆଧୁନିକ ମାରଣାସ୍ତ୍ରର ପ୍ରସ୍ତୁତି। ୟୁରୋପରୁ ଆମେରିକା ସବୁ ଧନକୁବେର ରାଷ୍ଟ୍ରର ନଖଦର୍ପଣରେ ଏବେ ସୁକିନ୍ଦା। ଏସୀୟ ରାଷ୍ଟ୍ର ଚାଇନା ଓ ଜାପାନ ଚାଟିନେଇ ସାରିଲେଣି ସୁକିନ୍ଦା କ୍ରୋମାଇଟର ବହୁଳାଂଶ। ଲକ୍ଷ ଲକ୍ଷ ବର୍ଷ ଧରି ଆମ ମାଟି ତଳେ ଗଚ୍ଛିତ ମୂଲ୍ୟବାନ ଖଣିଜ ପଦାର୍ଥକୁ ବିଦେଶକୁ ଶାଗମାଛ ମୂଲ୍ୟରେ ବିକ୍ରି କରିଦେଉଛେ। ସୁକିନ୍ଦା ଉପତ୍ୟକାରେ ଯେତେ କ୍ରୋମାଇଟ ଅଛି ତାହାକୁ ବେପରୁଆ ଭାବେ ଉତ୍ତୋଳନ କରି ବିକ୍ରି କଲେ ଶେଷ ହୋଇଯିବ। ସେତେବେଳେ ସୁକିନ୍ଦା ଖଣି ଅଞ୍ଚଳ ‘ଭୂତଳ ଅଞ୍ଚଳ’ରେ ପରିଣତ ହେବ। ବର୍ମାରେ ଗଚ୍ଛିତ ଡିଜେଲ, ପେଟ୍ରୋଲ ଶେଷ ହୋଇଗଲା ପରେ ଯାହା ଅବସ୍ଥା ହେଲା, ସୁକିନ୍ଦା କ୍ରୋମାଇଟ ସରିଗଲେ କ’ଣ ହେବ ଏବେଠୁ କହିହେବନି।
କ୍ରୋମାଇଟ ଯଦି ମାଟି ଉପରେ ବାଲିଗୋଡ଼ି ଭଳି ଥୁଆ ହୋଇଥାନ୍ତା ତା’ହେଲେ ସେ କେବେଠୁଁ ଶେଷ ହୋଇସାରନ୍ତାଣି। କ୍ରୋମାଇଟ ଅଛି ସାତତଳ ପଙ୍କ ଭିତରେ । ଉପରେ ଜଙ୍ଗଲ, ଗଛ ମାଳମାଳ, ଝରଣା, ତଳେ ୧୦୦ ମିଟରରୁ ୫ ହଜାର ମିଟର ଗଭୀରରେ ଅଛି କ୍ରୋମପଥର। କ୍ରୋମାଇଟ ବାହାର କରିବାକୁ ହେଲେ ଜଙ୍ଗଲ ଧ୍ୱଂସ କରିବାକୁ ହେବ, ଝରଣାର ଗତିପଥ ବଦଳାଇ ଦେବାକୁ ହେବ, ମାଟି କାଦୁଅ ଖୋଳିବାକୁ ହେବ, ଖଣିରେ ପାଣି ଭର୍ତ୍ତିହେଲେ ପାଣି କାଢ଼ି ନଈନାଳକୁ ଛାଡ଼ିବାକୁ ହେବ – ଏସବୁ ହେଲେ କ୍ରୋମାଇଟ ପଦାକୁ ଆସିବ। ସେହି କ୍ରୋମାଇଟକୁ ଧଳାକାଗଜ କଲମରେ ବିକିବେ, କଳାରେ ଦଶଗୁଣ ବିକିବେ। ଯାହା ଖର୍ଚ୍ଚ ହୋଇଥିବ ଲାଭ ହେବ ଶହେଗୁଣ। ସେଇ ଲାଭ ଟଙ୍କାରୁ ପାଞ୍ଚ ଦଶ ଭାଗ ‘ଭୋଗ’ ବଣ୍ଟାରେ ଯିବ।
କୌଳିକତାହୀନ ଏବଂ ମୌଳିକତାହୀନ ଗୁଡ଼ାଏ ଅପଦାର୍ଥ ଏହି ଖଣିଜ ପଦାର୍ଥକୁ ଆତ୍ମସାତ୍‌ କରି ଆସନ୍ନ ଭବିଷ୍ୟତରେ ଯେଉଁ ଅମାପ ବିତ୍ତର ଅଧିକାରୀ ହେବାକୁ ଯାଉଛନ୍ତି ତାହା ସେମାନଙ୍କୁ ଜନଗଣଙ୍କର ପିଠିରେ ଚାବୁକ ଚଳାଇବାର ରାଜନୈତିକ ସାମର୍ଥ୍ୟ ପ୍ରଦାନ କରିବ ହିଁ କରିବ। କାରଣ ଆଜିର ପୌରୁଷ ବ୍ୟକ୍ତିତ୍ୱରେ ନାହିଁ , ଅଛି ବିତ୍ତରେ । ଧନ ଧଳା କି କଳା ହେଉ, ବାପଧନ ହେଉ କି ପାପଧନ ହେଉ, ବ୍ୟକ୍ତିତ୍ୱ ବର୍ଜିତ – ଅଥଚ ବିତ୍ତ ଅର୍ଜିତ ବ୍ୟକ୍ତିମାନଙ୍କ ଦ୍ୱାରା କବଳିତ ହେଲେ ସାରା ସମାଜ ପାଇଁ ଘୋର ଅଶୁଭ କାଳକୁ ନିମନ୍ତ୍ରଣ କରିଆଣିବ । ଖଣିଜ ସମ୍ପଦ ପ୍ରକୃତରେ ଜାତୀୟ ସମ୍ପତ୍ତି। ଏହି ଜାତୀୟ ସମ୍ପତ୍ତିକୁ କେଉଁ ନ୍ୟାୟରେ ବଣ୍ଟାକୁଣ୍ଟା କରି ଲିଜ୍‌ ମାଧ୍ୟମରେ ହେଉ କି ସୁପାରିସ୍‌ ଜରିଆରେ ହେଉ, ବ୍ୟକ୍ତି ସମ୍ପତ୍ତିରେ ପରିଣତ କରିବାରେ ବୀଭତ୍ସ ପ୍ରକ୍ରିୟା ଆଜି ତାରିଖ ସୁଦ୍ଧା ଜାରି ରହିଛି କିପରି ?
ପ୍ରାକୃତିକ ପ୍ରହରୀ ପରି ଯେଉଁ ଶହ ଶହ ବର୍ଷର ବୃକ୍ଷ- ଆଜି ସେମାନେ ଗୋଟାଏ ଗୋଟାଏ କାକୁସ୍ଥ କବନ୍ଧ ପରି ନିରୀହ ଦେଶବାସୀଙ୍କ ଆଖି ସାମ୍ନାରେ ଛିନ୍ନ ଓ ବିଚ୍ଛିନ୍ନ । ଏହା ଜାତୀୟ ଜୀବନର ସୁରକ୍ଷା ପ୍ରତି ଏକ ଅହିତକର ଅଭିଯାନର ଆରମ୍ଭ ମାତ୍ର, ଯାହା ଦିନେ ଆମର ଉତ୍ତରପିଢ଼ିକୁ ପାଉଁଶ ପୋଖରୀରେ ଉବୁଟୁବୁ ହୋଇ ଅଣନିଃଶ୍ୱାସୀ ଅବସ୍ଥାରେ ଶେଷ ଆଡକୁ ମୁହଁାଇନେବ ।
ପ୍ରକୃତରେ ଖଣିଜ ସମ୍ପଦରେ ଭରପୂର ଓଡ଼ିଶା ଏକ ଧନୀ ରାଜ୍ୟ, କିନ୍ତୁ ଓଡ଼ିଶାର ଖଣିଶ୍ରମିକମାନେ ସୀମାହୀନ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ। ଦେଶୀ ବିଦେଶୀ ଘରୋଇ ଶିଳ୍ପପତିମାନେ ଓଡ଼ିଶାକୁ ଚରାଭୂଇଁରେ ପରିଣତ କରିବା ପାଇଁ ସରକାରଠାରୁ ବିଭିନ୍ନ ଫନ୍ଦିଫିକର, କଳକୌଶଳ କରି ଖଣି ଲିଜ୍‌ ନେଇ ଖଣିଜ ସମ୍ପଦରୁ କୋଟି କୋଟି ଟଙ୍କା ଲାଭ ନେଇଯାଉଛନ୍ତି, କିନ୍ତୁ ଯେଉଁମାନେ ରକ୍ତ ନିଗାଡ଼ି ଖଣିରୁ କଞ୍ଚାମାଲ ବାହାର କଲେ ସେମାନଙ୍କ ସମସ୍ୟା ହଜାରେ ପ୍ରକାର । ଯାହାର ମାଟିତଳେ ଅଜସ୍ର ସମ୍ପଦ, ତା’ର ଝିଅପୁଅ ଦୀନଦରିଦ୍ର ଅବହେଳିତ କାହିଁକି? ମୁଁ କେବଳ ଅଦୂର ଭବିଷ୍ୟତର ଲକ୍ଷ କୋଟି ଦୁର୍ଗରେ ଆର୍ତ୍ତନାଦ ଶୁଣିପାରୁଥିବା ଦୁଃଖୀ ଦୁର୍ବାସା । କ୍ରନ୍ଦନରେ ମୋର ବିଶ୍ୱାସ ନାହିଁ । ବର୍ତ୍ତମାନର ଘନାୟମାନ ଘନଘଟାରୁ ଜାତିକୁ ରକ୍ଷାକରିବା ପାଇଁ ନୀତି ଓ ନୈତିକତାର ପୁନଃଜାଗରଣ ପ୍ରକ୍ରିୟାରେ ତୁରନ୍ତ ପଦକ୍ଷେପ ଓ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାର ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ବ ଯେପରି ନ ଘଟେ ।
ଯେଉଁମାନଙ୍କ ଲୁହଲହୁରେ ବିଦେଶ, ଦେଶ, ରାଜ୍ୟର ଅର୍ଥନୀତି ସମୃଦ୍ଧ ହୁଏ, ଶିଳ୍ପପତିମାନଙ୍କର ହିମାଳୟ ପର୍ବତ ସଦୃଶ ସମ୍ପତ୍ତି ବୃଦ୍ଧି ହୁଏ ସେହି ଶ୍ରମିକମାନଙ୍କ ବେଦନାକ୍ତ ଛବି ଦେଖୁଛି କିଏ ନା ତାଙ୍କ ଦୁଃଖ ବୁଝୁଛି କିଏ? ଦେଶକୁ ପାଉଁଶଗଦା କି ଜାତିକୁ ପାଳଭୂତ କରନାହିଁ । ମୁଷ୍ଟିମେୟ ମହାଜନର ମୁନାଫା ହୋଇପାରେ, ମାତ୍ର ଅଗଣିତ ମାମୁଲି ମଣିଷର ମୃତ୍ୟୁ ଅବଶ୍ୟମ୍ଭାବୀ । ଏ ମୃତ୍ୟୁର ସ୍ରୋତକୁ ଆଜିଠୁ ବାଧା ଦିଆ ନ ଗଲେ ଆସନ୍ତା କାଲି ହେବ ଆମ ପାଇଁ ଅକାଳ ସକାଳ ଘୋର ଦୁଃସକାଳ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri