ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ପାଇଁ ମିନି ଲାଇବ୍ରେରି

କେନ୍ଦୁଝର, ୩୦ା୫( ସ୍ବ.ପ୍ର.): ଛୋଟ ଛୋଟ ପିଲା ମାନଙ୍କୁ ପାଠପଢା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ପାଠ ସହିତ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦୁଝର ଜିଲାର ୧୩ଟି ବ୍ଲକର ୧୭୦୦ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ସମୁଦାୟ ୨୨୪୮ ଝୁଲା ମିନି ଲାଇବ୍ରେରୀ। ସେଥିରୁ ୯ଟି ବ୍ଲକର ୧୨୧୪ ସ୍କୁଲକୁ ୧୬୦୮ କିଟ୍‌ ପ୍ରଦାନ କରାଯାଇଛି ା ଅବଶିଷ୍ଟ ୪ଟି ବ୍ଲକ ଚମ୍ପୁଆ, ଘଷିପୁରା, ହାଟଡିହୀ ଓ ତେଲକୋଇ ବ୍ଲକର ୪୮୬ ସ୍କୁଲକୁ ୬୪୦ କିଟ୍‌ ଆସନ୍ତା ଜାନୁୟାରୀ ମାସ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ପଢିବାର ଆଗ୍ରହ ବୃଦ୍ଧି କରିବା, ଶ୍ରେଣୀ କକ୍ଷରେ ବିଭିନ୍ନ ପ୍ରକାରର ବହି ଉପଲବ୍ଧ କରାଇବା ସହ ବିଭିନ୍ନ ଶିକ୍ଷଣୀୟ ତଥା କୌତୁହଳପ୍ରଦ ବିଷୟ ଅବଗତ କରାଇବା ତଥା ସେମାନଙ୍କ ପଢିବା ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ଆଶୀଷ ଠାକରେ ଜଣାଇଛନ୍ତି। ଏହି ଲାଇବ୍ରେରୀରେ ପିଲାଙ୍କ ବୁଝିବା ଭଳି ଓ ରଙ୍ଗୀନ ଚିତ୍ରିତ ପୁସ୍ତକ ଯୋଗାଇଦିଆଯିବ। ପିଲା ମାନଙ୍କ ବୟସ ତଥା ପାଠ ପଢା ଜ୍ଞାନକୁ ଆଧାର କରି ଓଡିଆ, ଇଂରାଜୀ ତଥା ହିନ୍ଦିରେ ଲିଖିତ ପୁସ୍ତକ ଯୋଗାଇ ଦିଆଯାଉଛି। ସେଥିରୁ ୫୦ ପ୍ରତିଶତ ଓଡିଆ, ୨୫ ପ୍ରତିଶତ ଇଂରାଜୀ ଓ ୨୫ ପ୍ରତିଶତ ହିନ୍ଦୀ ବହି ଯୋଗାଇଦିଆଯାଉଛି। ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଏହି ଲାଇବ୍ରେରୀ ପ୍ରତିଷ୍ଠା କରାଯାଉଛି ବୋଲି ସୂଚନା ଦିଆଯାଇଛି।