ମିନି ଲକ୍‌ଡାଉନ୍‌ ଜରୁରୀ: ଏମ୍ସ୍‌ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ପୁଣି ଲକ୍‌ଡାଉନ୍‌ ଘୋଷଣା ହେଲେ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପଡ଼ିବ। ମାତ୍ର କରୋନା ସଂକ୍ରମଣକୁ ଯଦି ରୋକା ନ ଯାଏ ଏହା ଅଣାୟତ୍ତ ସ୍ଥିତି ସୃଷ୍ଟି କରିବ। ତେଣୁ ଦେଶରେ ମିନି ଲକ୍‌ଡାଉନ୍‌ ଘୋଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ଦିଲ୍ଲୀ ଏମ୍ସ୍‌ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆ ପ୍ରକାଶ କରିଛନ୍ତି। କରୋନାର ଦ୍ୱିତୀୟ ଲହର ବ୍ୟାପିବା ଲାଗି ଲୋକେ ଦାୟୀ। ସାଧାରଣ ଲୋକ କରୋନା ମାର୍ଗଦର୍ଶିକା ପାଳନ ନ କରିବା ସହିତ ସାମାଜିକ ଦୂରତା ବଜାୟୀ ରଖୁ ନାହାନ୍ତି। ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି। ଦେଶ ପାଇଁ ୨ ଶହ କୋଟି ଡୋଜ୍‌ର ଆବଶ୍ୟକତା ରହିଥିବା ସେ କହିଛନ୍ତି। କରୋନାର ଦ୍ୱିତୀୟ ଲହରରେ ଛୋଟପିଲାଙ୍କୁ ମଧ୍ୟ ସଂକ୍ରମଣ ହେଉଛି। ଏହା ଅତ୍ୟନ୍ତ ଚିନ୍ତା ଜନକ। ଛୋଟପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ତାଙ୍କଠାରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଅଧିକ ଦେଖାଯାଇ ନ ଥିଲା। ମାତ୍ର କରୋନାର ଦ୍ୱିତୀୟ ଲହରରେ ଏଭଳି କେତେକ ଘଟଣା ଦୃଷ୍ଟିକୁ ଆସିଥିବା ସେ କହିଛନ୍ତି।

Share