ବାରିପଦା,୧୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଉତ୍ତର ଓଡ଼ିଶାରେ ଶୀତର ଲହରୀ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି। ଏପରିକି ଜିଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା ବେଳେ ଜୈବ ମଣ୍ଡଳ ଶିମିଳିପାଳରେ ପାରଦ ସର୍ବନିମ୍ନ ୪ ଡିଗ୍ରୀ ସେଲ୍ସିୟସ ରହିଛି। ସନ୍ଧ୍ୟାହେଲେ ଗାଁଗଣ୍ଡା ଗୁଡ଼ିକ ଶୂନଶାନ ହୋଇଯାଉଛି। ନିଆଁ ଜାଳି ଲୋକେ ଶୀତକଷ୍ଟକୁ ଦୂର କରିବାରେ ଲାଗିଛନ୍ତି। ରାତି ୮ଟା ପରେ ସହର ଶୂନଶାନ ହୋଇଯାଉଛି।
ରବିବାରଠାରୁ ଉତ୍ତର ଓଡ଼ିଶାରେ ପ୍ରବଳ ଶୀତ ଜାରିରହିଛି। ଜିଲାର ୨୬ଟି ବ୍ଲକ୍ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ଥିବା ରେକର୍ଡ ହୋଇଛି। ରାତିରେ କୁହୁଡ଼ି ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି। ସୋମବାର ସକାଳ ୬ଟାରେ ଶିମିଳିପାଳ ଅଭୟାରଣ୍ୟର ଚହଲା ଓ ଉପର ବାରହା କାମୁଡ଼ା ରେଞ୍ଜରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରହିଛି। ଗୁଡ଼ଗୁଡ଼ିଆରେ ୯ ଡିଗ୍ରୀ, ବରେହିପାଣିରେ ୧୦ ଡିଗ୍ରୀ, ରାମତୀର୍ଥରେ ୧୨ଡିଗ୍ରୀ ଓ କିଆଝରୀରେ ୧୩ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ଉପ ନିର୍ଦ୍ଦେଶକ ସାଇ କିରଣ ପ୍ରକାଶ କରିଛନ୍ତି। ଯାହାକି ଚଳିତ ବର୍ଷର ଅଦ୍ୟାବଧିର ସର୍ବନିମ୍ନ ତାପମାତ୍ରା ଅଟେ।