ଯାଜପୁର ଅଫିସ,୧ା୧୧: ଶିଳ୍ପୋନ୍ନତ ଯାଜପୁର ଜିଲାରେ ଥିବା କମ୍ପାନୀଗୁଡିକ ସେମାନଙ୍କ ପାଇଁ ଥିବା ନୀତି ନିୟମକୁ ଉଲ୍ଲଂଘନ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏମାନଙ୍କ କଳା କାରନାମା ଦେଖି ଖଣି ଓ କମ୍ପାନୀ ଅଧୀନରେ ଥିବା ଠିକାସଂସ୍ଥାଗୁଡିକ ମଧ୍ୟ ପ୍ରଶାସନକୁ ଠକି ଚାଲିଛନ୍ତି। ବିଶେଷକରି ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ବିଆରପିଏଲ, ଭିସା ଷ୍ଟିଲ, ରୋହିତ ଫେରୋଟେକ, ୟାଜଦାନି, ଟାଟା ଷ୍ଟିଲ ମାଇନିଂ ଲିଃ, ଇମ୍ଫା ଖଣି, ବେଦାନ୍ତ ଫେକର ଖଣି, ସିମେଣ୍ଟ କାରଖାନା କ୍ଷେତ୍ରରେ ଏହା ଅଧିକ। ଏହି କମ୍ପାନୀର କାରଖାନା ଓ ଖଣି ଖାଦାନରେ ପରିଚାଳନା, ପରିବହନ, ରକ୍ଷଣାବେକ୍ଷଣ, ମରାମତି ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଠିକାସଂସ୍ଥାଗୁଡିକ ନିୟୋଜିତ ଅଛନ୍ତି। ଏହି ଠିକାସଂସ୍ଥାଗୁଡିକରେ ନିୟୋଜିତ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କୁ ଅଧା ଦରମା ଦେଇ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି।
ସୁକିନ୍ଦା ଖଣି ଏବଂ କଳିଙ୍ଗନଗର ଶିଳ୍ପ ସଂସ୍ଥାଗୁଡିକରେ ପ୍ରଭାବିତ ଅଞ୍ଚଳବାସୀ ତଥା କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟା ଅସମାହିତ। ବିସ୍ଥାପନର ଦୁଃଖ ସାଙ୍ଗକୁ ଠିକାସଂସ୍ଥାଗୁଡିକର ଶୋଷଣ ଲୋକଙ୍କୁ ଆନ୍ଦୋଳନମୁଖୀ କରିଛି। ଏହାର ସୁଯୋଗ ନେଇ ବିଭିନ୍ନ ଶ୍ରମିକ ସଂଗଠନ ଗଢ଼ି ଉଠିଛି। କିନ୍ତୁ ସେଗୁଡ଼ିକ ନିଜର ସ୍ବାର୍ଥସାଧନ କରୁଥିବା ମନେ ହେଉଛି। ଚାନ୍ଦିଆ, ବାଲିଗୋଠ, ଟାଙ୍ଗରସାହି, ବରପାଳ, କୁଡୁମୀସାହି, ଅରାସାହି ସମେତ ଖଣି ଅଞ୍ଚଳର ବହୁ ଗ୍ରାମର ଚାଷଜମି ସବୁ ଶିଳ୍ପ ଓ ଖଣିରେ ବ୍ୟବହାର ହୋଇ ସାରିଲାଣି। ଚାଷବାସ ଯିବା ପରେ ଅଞ୍ଚଳବାସୀ ଠିକାସଂସ୍ଥାଗୁଡିକ ଉପରେ ନିର୍ଭର କରୁଛନ୍ତି। ଯାଜପୁରରୋଡ ଯୁଗ୍ମ ଶ୍ରମ କମିଶନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୬ଟି ବୃହତ୍ କମ୍ପାନୀରେ ୩୬୪ ଅଣଓଡ଼ିଆ ଠିକାସଂସ୍ଥାକୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିରେ ୩,୭୫୪ କର୍ମଚାରୀ ଏବଂ ୨୧,୯୫୬ ଜଣ ଶ୍ରମିକ ନିୟୋଜିତ ଅଛନ୍ତି। ସେହିପରି ୧୮୪ ଓଡିଆ ଠିକାସଂସ୍ଥାରେ ମାତ୍ର ୬୪୦ ଜଣ କର୍ମଚାରୀ ଏବଂ ୫୫୫୫ ଜଣ ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଇଛି। ଉଚ୍ଚତର କୁଶଳୀ କର୍ମଚାରୀ ଏବଂ ଶ୍ରମିକଙ୍କ ପାଇଁ ଦୈନିକ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରଖାନା କର୍ତ୍ତୃପକ୍ଷ ପ୍ରଦାନ କରୁଥିବାବେଳେ ନିୟୋଜିତ ଠିକାସଂସ୍ଥାଗୁଡିକ ତାହାର ପ୍ରାୟ ୪୦ ପ୍ରତିଶତ ପାଉଣା ଦେଇ ବାକି ନିଜ ପକେଟକୁ ନେଉଛନ୍ତି। ସେହିପରି ଅର୍ଦ୍ଧ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ କାରଖାନା କର୍ତ୍ତୃପକ୍ଷ ଦୈନିକ ୪୦୦ରୁ ୧୦୦୦ ଟଙ୍କା ଲେଖାଏ ଦେଉଥିବାବେଳେ ଅନୁରୂପ ଭାବେ ପ୍ରାୟ ୪୦% ପାଉଣା ଦେଇ ଶୋଷଣ କରାଯାଉଛି। ଅବଧି ସରିଲେ ଶ୍ରମିକମାନଙ୍କୁ ତଡା ଖାଇବାକୁ ପଡୁଛି। ଠିକା ଶ୍ରମିକ ଉଚ୍ଛେଦ ଆଇନକୁ ଉଲ୍ଲଂଘନ କରି ଫୁଲ ଆଣ୍ଡ ଫାଇନାଲ ପ୍ରାପ୍ୟ ପ୍ରଦାନ ପୂର୍ବରୁ ଠିକାସଂସ୍ଥାଗୁଡ଼ିକ ଫେରାର ହୋଇଥିବା ଘଟଣା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନଜିର ରହିଛି। ଏଭଳିସ୍ଥିତିରେ ଚାକିରି ହରାଇଥିବା ଶିକ୍ଷିତ ଯୁବତୀଯୁବକଙ୍କ ସପକ୍ଷରେ ବିଭିନ୍ନ ଶ୍ରମିକ ସଂଗଠନ ଠିଆ ହେବା ବଦଳରେ ଠିକାସଂସ୍ଥାର ସୁରକ୍ଷା କବଚ ସାଜିଛନ୍ତି। ଶ୍ରମ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଏ ସଂକ୍ରାନ୍ତରେ ସରକାର ଓ ଜିଲା ପ୍ରଶାସନ ଦୃଷ୍ଟି ନଦେଲେ ଠିକାସଂସ୍ଥା ଲାଭ ଉଠାଉଥିବେ ଏବଂ ସ୍ଥାନୀୟ ଶିକ୍ଷିତ ଯୁବତୀଯୁବକ ବେକାର ହେଉଥିବେ ବୋଲି ନାଗରିକ ମହଲରେ ମତପ୍ରକାଶ ପାଇଛି।