ବନ ବିଭାଗ ମଞ୍ଜୁରୀ ବିନା ଓଡ଼ିଶାରେ ଖଣି ଖନନ ବେଆଇନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭ା୬:ଓଡ଼ିଶାରେ ଖଣି କମ୍ପାନୀଗୁଡ଼ିକ ବନ ବିଭାଗ ମଞ୍ଜୁରୀ ବିନା ବେଆଇନ ଭାବେ ଖଣିଜ ଉତ୍ତୋଳନ କରିଚାଲିଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ବେଆଇନ ଖଣି ଖନନକୁ ସର୍ବୋଚ୍ଚ ଅଦାଲତ ସୋମବାର ଅତ୍ୟନ୍ତ ଗୁରୁତର ସହ ନେବା ସହିତ ଏଭଳି ମାମଲାଗୁଡ଼ିକର ଫଇସଲା ୬ ମାସ ମଧ୍ୟରେ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବନ ବିଭାଗର ମଞ୍ଜୁରୀ ବିନା ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶନାମା ବଳରେ ଖନନ କିପରି ଜାରି ରହିପାରିବ ବୋଲି ଜଷ୍ଟିସ ଏମ୍‌.ଆର୍‌. ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଅବକାଶକାଳୀନ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଜଙ୍ଗଲ କର୍ତ୍ତୃପକ୍ଷଙ୍କ ବିନା ମଞ୍ଜୁରୀରେ ହେଉଥିବା ଖନନ ବେଆଇନ। ଖନନ କିମ୍ବା ଖଣିଜ ଉତ୍ତୋଳନ ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ। ହାଇକୋର୍ଟ ସ୍ଥିତାବସ୍ଥା ନିର୍ଦ୍ଦେଶ ଦେଇ ଖଣି ଖନନ ଜାରି ରଖିବାକୁ ଅନୁମତି ଦେବା ଦୁର୍ଭାଗ୍ୟଜନକ ବୋଲି ଖଣ୍ଡପୀଠ କହିଥିଲେ।
ସ୍ଥିତାବସ୍ଥା ନିର୍ଦ୍ଦେଶନାମା ବଳବତ୍ତର ରଖିବାକୁ ହାଇକୋର୍ଟ ମନା କରିଦେବା ପରେ ମେସର୍ସ ବାଲେଶ୍ୱର ଆଲଏଜ୍‌ ଲିମିଟେଡ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନ ପ୍ରତ୍ୟାହାର କରିନେବାକୁ ଖଣ୍ଡପୀଠ କମ୍ପାନୀକୁ ଅନୁମତି ଦେଇଛନ୍ତି। ଆବେଦନ ପ୍ରତ୍ୟାହାର କଲେ ମଧ୍ୟ ଜଙ୍ଗଲ ମଞ୍ଜୁରୀ ନ ଥିବାରୁ କମ୍ପାନୀକୁ ଏବେଠାରୁ ଆଉ ଖଣି ଖନନ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

Share