Categories: ଜାତୀୟ

ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ

ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଖଣି ମାଫିଆମାନେ ଜିପ୍‌ସମ୍‌ ଲୋଭ ଆଶାରେ ୭୦ କିଲୋମିଟର ସୀମା ଅଞ୍ଚଳକୁ ଖୋଳି ଦେଇଛନ୍ତି। ଖଣି ମାଫିଆ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଜମି ଖୋଳି ଏଠାରେ ସୁଡ଼ଙ୍ଗ କରିଦେଇଛନ୍ତି। ଫଳରେ ଦେଶରେ ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା ବଢ଼ିବାରେ ଲାଗିଛି। ୩୦ରୁ ୪୦ ସ୍ଥାନରେ ତାରବାଡ଼ର ୫୦୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳାଯାଇଛି। ଏସବୁ ସୁଡ଼ଙ୍ଗର ଆକାର ୩୦ରୁ ୪୦ ଫୁଟ ବୋଲି କୁହାଯାଉଛି। ଜାତୀୟ ସବୁଜ ପ୍ରାଧିକରଣ ଅନୁସାରେ ବନ୍ୟପ୍ରାଣୀ ଅଞ୍ଚଳର ୧୦କିଲୋମିଟର ବ୍ୟାସ ମଧ୍ୟରେ କୌଣସି ଖନନ କରାଯିବ ନାହିଁ। ତେବେ ବିକାନେରର କୋଲାୟତ, ଖାଜୁଓ୍ବାଲା, ବଜ୍ଜୁ, ପୁଗଲ ଏବଂ ଦନ୍ତୋର ଅଞ୍ଚଳରେ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଫଳରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ୨୦୧୬-୧୭ରେ ଖନନ ପାଇଁ ୨୦୧ ଅନୁମତି ପତ୍ର ଜାରି ହୋଇଥିଲା। ସେଥିମଧ୍ୟରୁ ୧୫୨ରେ ଖନନ ଆରମ୍ଭ ହୋଇଥିଲା। ଅନୁମତି ପତ୍ରରେ ଦେଢ଼ରୁ ଦୁଇ ମିଟର ପର୍ଯ୍ୟନ୍ତ ଜମି ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଖନନକାରୀ ୫ରୁ୭ ମିଟର ପର୍ଯ୍ୟନ୍ତ ଜମି ଖୋଳି ଥିବା କୁହାଯାଉଛି। ଖଣି ମାଫିଆଙ୍କ କାର ଏସବୁ ଅଞ୍ଚଳରେ ବେଧଡ଼କ ଘୁରି ବୁଲୁଥିବାରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରୁ ନ ଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଜଣାଇ ଦିଆଯାଇଥିବା ବିଏସ୍‌ଏଫ୍‌ କହିଛି। ଏସବୁ ଅଞ୍ଚଳରେ ୧୦, ୨୦, ୨୧ ଏବଂ ୨୨ ବିଏସ୍‌ଏଫ୍‌ ଶିବିର ରହିଛି। ଶିବିର ନିକଟରେ ମଧ୍ୟ ଖନନ ଜାରି ରହିଛି। ସୀମାରେ ବେଆଇନ ଖନନ ସମ୍ପର୍କିତ ଅଭିଯୋଗ ମିଳିବା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିକାନେର ସର୍କଲ ସୁପରିଟେଣ୍ଡେଣ୍ଟ୍‌ ମାଇନିଂ ଇଞ୍ଜିନିୟର ଏନ୍‌.କେ. ବୈରଓ୍ବା ସୀମାରରେ ଜିପ୍‌ସମ୍‌ ଖନନ ରୋକିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ଖଣି ମାଫିଆଙ୍କୁ ବାଧା ଦିଆଯିବା ଆରମ୍ଭ ହୋଇଥିବା ମାଇନିଂ ଇଞ୍ଜିନିୟର ରାମ ନିଓ୍ବାସ ମଙ୍ଗଳ କହିଛନ୍ତି।

 

Share