ଖଣି କାର୍ଯ୍ୟ ରୋକିଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍‌କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ ଦାବିରେ ସୋମବାର ଆନ୍ଦୋଳନ କରିଛନ୍ତି। ଫଳରେ ଖଣି କାର୍ଯ୍ୟ ବନ୍ଦ ରହିଛି।
ପଞ୍ଚାୟତବାସୀ କହିଛନ୍ତି, ରାଇଝରଣ ପଞ୍ଚାୟତରେ ଥିବା ଉତ୍କଳ-ଡି କୋଲ୍‌ ବ୍ଲକକୁ ସରକାର ନାଲ୍‌କୋକୁ ପ୍ରଦାନ କରିଛନ୍ତି। ନାଲ୍‌କୋ ପକ୍ଷରୁ ଏକ ଘରୋଇ କମ୍ପାନୀ ଦ୍ୱାରା ଖଣିରୁ ମାଟି ଓ କୋଇଲା ଖନନ କାର୍ଯ୍ୟ କରାଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୬୦ ଭାଗ ଜମିହରା ପ୍ରଜା କ୍ଷତିପୂରଣ ରାଶି ପାଇପାରିନାହାନ୍ତି। ଏଥିସହ ନାଲ୍‌କୋ କିମ୍ବା ଉକ୍ତ ଘରୋଇ କମ୍ପାନୀରେ କୌଣସି କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ମିଳିନାହିଁ। ଏ ନେଇ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଜମିହରା ପ୍ରଜାଙ୍କୁ ଅଣଦେଖା କରାଯାଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ତେଣୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ, ସମ୍ପୂର୍ଣ୍ଣ ପଞ୍ଚୟତରେ ପାଣି ସିଞ୍ଚନ, ପିଇବା ପାଣି ଯୋଗାଣ, ବିଦ୍ୟାଳୟ, କୋଠଘର, ମନ୍ଦିର ଆଦିର ଉନ୍ନତୀକରଣ, ସ୍ବାସ୍ଥ୍ୟ ଶିବିର, ଗ୍ରାମର ରେକର୍ଡଭୁକ୍ତ ଜଙ୍ଗଲକୁ ଅଧିଗ୍ରହଣ କରାଯାଉ ନଚେତ ଜଙ୍ଗଲକୁ ରାସ୍ତା ଦିଆଯାଉ ଆଦି ଦାବି ନେଇ ପଞ୍ଚାୟତବାସୀ ରାଇଝରଣ ଗ୍ରାମ ସଭାପତି ଲମ୍ବୋଦର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ ଓ ପତିତପାବନ ଦେହୁରୀଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶେଷକରି କମ୍ପାନୀ ଦ୍ୱାରା ଦିଆଯାଉଥିବା ଅନୁକମ୍ପା ରାଶିର ସ୍ବଳ୍ପ ମୂଲ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରାହ୍ନରେ ଏସ୍‌ଡିପିଓ ରମାକାନ୍ତ ମହାଳିକ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଷ୍ଟ ପ୍ରଶାନ୍ତ ସିଂ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମଙ୍ଗଳବାର ଗ୍ରାମବାସୀ ବୈଠକ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବେ ବୋଲି ନିଶା ଥାନା ଆଇଆଇସି ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।