Categories: ଜାତୀୟ

ପୋଲିସ ମୁଣ୍ଡରେ ଅଠା, ହିଂସା ପାଇଁ ଦାୟୀ କଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ମାମଲାରେ ପୋଲିସ ମୁଣ୍ଡରେ ଅଠା ବୋଳିଛନ୍ତି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା। ସେ କହିଛନ୍ତି ଟିକୁନିଆ ଗାଁରେ ଘଟିଥିବା ହିଂସା ଲାଗି ସ୍ଥାନୀୟ ପୋଲିସ ଦାୟୀ। ସେ କହିଛନ୍ତି ଶ୍ରମିକ ଶ୍ୟାମ ସୁନ୍ଦର ନିଶାଦ ଜୀବିତ ଥିଲେ। ସେ ଆମ୍ବୁଲାନ୍ସ୍‌ ଭିତର ଥିବାବେଳେ ତାଙ୍କୁ ଜୋର୍‌ ଜବରଦସ୍ତ ଆମ୍ବୁଲାନ୍ସ୍‌ର ବାହାରକୁ ଅଣାଯାଇ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଥିଲା।

ପୋଲିସ ନୀରବ ଦ୍ରଷ୍ଟା ପାଲଟିଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ନେଇ ପୋଲିସ ଗୁପ୍ତ ସୂଚନା ସଂଗ୍ରହ କରିବାରେ ଅସଫଳ ରହିଥିବା ସେ କହିଛନ୍ତି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ କୌଣସିଜ ବ୍ୟାରିକେଡ୍‌ ନିର୍ମାଣ କରାଯାଇ ନ ଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ୧୪୭ ଭିଡ଼ିଓ କ୍ଲିପ୍‌ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏସବୁର ସମୀକ୍ଷା କରାଯାଉଛି। ଖୁବ୍‌ ଶୀଘ୍ର ଅଧିକ ତଥ୍ୟ ମିଳିବ ବୋଲି ସ୍ଥାନୀୟ ପୋଲିସ କହିଛି। ପ୍ରତ୍ୟକ୍ଷଦର୍ଶୀ ସୁମିତ ଜୟସ୍ବାଲଙ୍କ ମୋବାଇଲ ଫୋନ୍‌ରୁ ଅଧିକାଂଶ ଭିଡ଼ିଓ ପଠାଯାଇଥିବା ପୋଲିସ କହିଛି।

Share