କୋକସରା,୧୩।୧: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ବୁଧବାର କୋକସରା ବ୍ଲକ ଗସ୍ତ କରିଥିଲେ। ସେ କାଶିବାହଲ ପଞ୍ଚାୟତ ଗସ୍ତ କରି ଫେରିବା ପରେ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ପରିଦର୍ଶନ କରିଥିଲେ। ସେତିକିବେଳେ ସେ ଦଶମ ଶ୍ରେଣୀକୁ ଯାଇ ପିଲାଙ୍କୁ ଗଣିତ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ। ହେଲେ ପିଲାମାନେ ସନ୍ତୋଷ ଜନକ ଉତ୍ତର ଦେଇପାରି ନ ଥିଲେ। ଏ ନେଇ ମନ୍ତ୍ରୀ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କୁ ନେଇ ଆଲୋଚନା କରିଥିଲେ। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନାଏକ ସ୍କୁଲରେ ଶିକ୍ଷକ ଅଭାବ ଥିବା ଯୋଗୁ ଶିକ୍ଷାଦାନରେ ଅସୁବିଧା ହେଉଥିବା ନେଇ ସଫେଇ ଦେଇଥିଲେ।