୭୮ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କଲେ ମନ୍ତ୍ରୀ

ମୋରଡ଼ା,୮ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ତହସିଲ କାର୍ଯ୍ୟାଳୟରେ ‘ମୋ ଜଙ୍ଗଲ ମୋ ଜମି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ତର୍ଜାତୀୟ ବିଶ୍ୱ ଜନଜାତି ଦିବସ ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ତଥା ଗୃହ ଓ଼ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ‘ମୋ ଜଙ୍ଗଲ ଜମି’ ଯୋଜନାରେ ଅନ୍ତର୍ଭୁକ୍ତ ୯୫ ଜଣ ହିତାଧିକାରୀଙ୍କୁ ଡକା ଯାଇଥିବା ବେଳେ ପଟ୍ଟା ନେବାକୁ ଆସିଥିଲେ ୭୮ ଜଣ ହିତାଧିକାରୀ।
ତେବେ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ତାଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ମହାପାତ୍ରଙ୍କ ସହିତ ମୋରଡ଼ା ତହସିଲଦାର ଉତ୍ତମ କୁମାର ଜେନା, ବିଡିଓ ଅଣାକର ନାଏକ, ଅବସରପ୍ରାପ୍ତ ଏଡିଏମ୍‌ ସୁରତ ମଲ୍ଲିକ,ପିଏଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା,ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ, ଉପାଧ୍ୟକ୍ଷା ଜେମାମଣି ମହାନ୍ତ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ବନବାସୀଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ତଥା ଅର୍ଥନୈତିକ ପ୍ରଗତିକୁ ନିଶ୍ଚିତ କରିବା, ସମସ୍ତ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନା ସହିତ ଯୋଡ଼ି ତାଙ୍କର ଜୀବନ ଜୀବିକା ମନରେ ଉନ୍ନତି ଆଣିବା ଯୋଜନାର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ମହାପାତ୍ର କହିଥିଲେ। ତେବେ ଆଜିର କାର୍ଯ୍ୟକ୍ରମରେ ଚିତ୍ରଡ଼ା,ମୋରଡ଼ା, ଧଡ଼ାସାହି, ଜୁଆଳିଭଙ୍ଗା, ହଳଦୀପାଳ, ଗଡ଼ିଗାଁ ପଞ୍ଚାୟତର ୨୨ଟି ଗାଁର ୭୮ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ହିତାଧିକାରୀ ଆଲାଦୀ ମୁର୍ମୁ,ସଲଖାନ ମାର୍ଣ୍ଡି,ସୋମବାରୀ ମାର୍ଣ୍ଡି, ମଇନା ହାଁସଦା ଏବଂ ଅନ୍ୟ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ ମନ୍ତ୍ରୀ। ତେବେ ପରେ ବ୍ଲକର ୨୦ ପଞ୍ଚାୟତର ୧୨୭୧ ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମ ଆୟୋଜନରେ ଚିତ୍ରଡ଼ା ଆର୍‌ଆଇ ମନୋଜ ବାରିକ, ମୋରଡ଼ା ଆର୍‌ଆଇ ଜ୍ୟୋତିରୁପା ପାତ୍ର, ତହସିଲ କର୍ମଚାରୀ ଶଶାଙ୍କ ଶେଖର ମିଶ୍ର, ଜଗତଜ୍ୟୋତି ବେହେରା,ଗୌରାଙ୍ଗ ସାହୁ ଏବଂ ଅନ୍ୟମାନେ ସହଯୋଗ କରିଥିଲେ।