ନବୀନ ପଟ୍ଟନାୟକଙ୍କୁ ଗିରଫ କରିବା ପ୍ରସଙ୍ଗ: ମନ୍ତ୍ରୀ-ବିଧାୟକ ମୁହାଁମୁହିଁ

ଭୁବନେଶ୍ୱର,୨୬।୭(ଅନିଲଦାସ):ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗରିଫ କରିବା ପ୍ରସଙ୍ଗକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ବିଜେଡି ବିଧାୟକ ଅରୁଣ ସାହୁ ମୁହାଁମୁହିଁ ହୋଇଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଅରୁଣ କହିଛନ୍ତି, ଗତ ୨୩ ତାରିଖରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ବିରୋଧୀ ଦଳ ନେତାଙ୍କୁ ‘ଗିରଫ କରାଯାଉ’ ବୟାନକୁ ବିଧାନସଭା ବିବରଣୀରୁ ବାଦ ଦିଆଯାଉ। ନଚେତ ଯଦି ସାହସ ଅଛି ତେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରନ୍ତୁ ବୋଲି ସେ କହିଥିଲେ। ଏହାର ଜବାବରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ସେ କୌଣସି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିନାହାନ୍ତି। ବିରୋଧୀ ଦଳ ନେତାଙ୍କ ସମ୍ମାନ ହାନି ହେଲାଭଳି କିଛି କଥା କହିନାହାନ୍ତି। ତାଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା। ପାର୍ଲାମେଣ୍ଟ ରୁଲ୍‌ସ ଅଫ୍‌ ବିଜ୍‌ନେସରେ ରାଜ୍ୟପାଳ କହିବା ବେଳେ ଯଦି କେହି ବିଶୃଙ୍ଖଳା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇପାରିବ। ଯେତେବେଳେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଥିଲେ, ତାଙ୍କୁ ପାଗଳ କହିବାଠାରୁ ଆରମ୍ଭ କରି ରାଞ୍ଚିରେ ଚିକିତ୍ସା କରିବା ପର୍ଯ୍ୟନ୍ତ ବିଜେଡି ସଦସ୍ୟମାନେ ମନ୍ତବ୍ୟ ଦେଉଥିଲେ। ତେବେ ସେ କୌଣସି ଅସାମ୍ବିଧାନିକ କାର୍ଯ୍ୟ କରିନାହାନ୍ତି ବୋଲି ମୁକେଶ କହିଥିଲେ।

Share