Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ ନାଁରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଏବଂ ଲେଫ୍ଟନାଣ୍ଟ ଗଭର୍ନର ଅନିଲ ବୈଜଲଙ୍କୁ ଚିଠି ଲେଖିଛନ୍ତି। ପ୍ରହ୍ଲାଦ ପଟେଲ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖବରଦାତା ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗାକୁ ସାଜସଜ୍ଜା ସାମଗ୍ରୀ ଭାବରେ ବ୍ୟବହାର କରିଥିଲେ ଏବଂ ଏହାକୁ ଏପରି ରଖିଥିଲେ ଯେ କେବଳ ତାଙ୍କର ସବୁଜ ରଙ୍ଗ ଦୃଶ୍ୟମାନ ହେଉଥିଲା।
ଜାତୀୟ ପତାକା ସମ୍ମାନ ପାଇଁ ଆମ ସମସ୍ତଙ୍କ ଦାୟିତ୍ୱକୁ ଦୃଷ୍ଟିରେ ରଖିବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି। ଯେତେବେଳେ କେଜ୍‌ରିଓ୍ବାଲ୍‌ ଖବରଦାତା ସମ୍ମିଳନୀ କରିବାକୁ ଆସନ୍ତି, ତାଙ୍କ ପଛରେ ତ୍ରିରଙ୍ଗା ଲାଗିଥାଏ। କିନ୍ତୁ ଉକ୍ତ ତ୍ରିରଙ୍ଗାରେ ମଝି ଧଳ ଅଂଶ କମ୍‌ ନୀଳ ଅଂଶ ବେଶୀ ରହିଥିବା ଜଣାପଡେ। ଯାହା ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଦିଷ୍ଟ ଭାରତୀୟ ପତାକା କୋଡର ଅଂଶ ୧.୩ ରେ ପ୍ରଦତ୍ତ ମାନକ ବ୍ୟବହାର କରୁ ନ ଥିବା ପରି ଦେଖାଯାଉଛି।ଏଲଜିଙ୍କୁ ଲେଖିଥିବା ଏକ ପତ୍ରରେ ପ୍ରହ୍ଲାଦ ପଟେଲ ଶେଷରେ ଲେଖିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାଣିଶୁଣି କିମ୍ବା ଅଜାଣତରେ ଏପରି କାର୍ଯ୍ୟ କରୁଛନ୍ତି ତାହା ଜାଣିବାକୁ ଚାହୁଁଛି।
ଗତ କିଛି ଦିନ ହେବ କୋଭିଡ ମ୍ୟାନେଜମେଣ୍ଟ ଅଭାବ, ଅମ୍ଳଜାନ ଅଭାବ, ଟିକା ଅଭାବକୁ ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିଲା, ଏଭଳି ପରିସ୍ଥିତିରେ ତ୍ରିରଙ୍ଗାକୁ ନେଇ ଲେଖାଯାଇଥିବା ଏହି ଚିଠି ଏକ ନୂତନ ବିବାଦ ସୃଷ୍ଟି କରିପାରେ।

Share