ପୁରୀ ଅଫିସ,୫ା୧୦: ସ୍ବର୍ଗଦ୍ୱାରରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଘଂନ କରିଛନ୍ତି ବୋଲି ଶ୍ରୀ ଜଗନ୍ନାଥ ସେନା ଏବଂ ପୁରୀ ଜିଲା ଭାଜପା ଯୁବମଞ୍ଚ ପକ୍ଷରୁ ସୋମବାର ଅଭିଯୋଗ କରାଯାଇଛି। ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି। ମନ୍ତ୍ରୀ ଓ ବିଧାୟକ କରୋନା ପଜିଟିଭ୍ ଥାଇ କିଭଳି ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହେଲେ ବୋଲି ପ୍ରଶ୍ନ ଉଠିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜଗନ୍ନାଥ ସେନା ଏବଂ ଜିଲା ଭାଜପା ଯୁବମଞ୍ଚ ଦାବି କରିଛି।
ଏ ସମ୍ପର୍କରେ ମନ୍ତ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି ଯେ, ସେପ୍ଟେମ୍ବର ୧୪ରେ ତାଙ୍କର କରୋନା ପଜିଟିଭ୍ ଆସିଥିଲା। ସେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୧ ତାରିଖରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ। ରବିବାର ତାଙ୍କର ୨୧ ଦିନ ପୂରଣ ହୋଇଥିବାରୁ ମହାରଥୀଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ। ତେବେ କୌଣସି ପ୍ରକାର କୋଭିଡ୍ କଟକଣା ଉଲ୍ଲଂଘନ କରିନାହାନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ସାମନ୍ତରାୟଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।