ଆସୁଛି ‘ଦାନା’: ଧାମରା-ଚାନ୍ଦବାଲିରେ ସ୍ଥିତି ଅନୁଧ୍ୟାନ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ, ୨୪।୧୦(ସନାତନ ରାଉତ)- ଭଦ୍ରକ ଜିଲା ଧାମରାରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଚାନ୍ଦବାଲି, ଧାମରା, ବାସୁଦେବପୁର ଅଞ୍ଚଳକୁ ରାଜ୍ୟ ସରକାରଙ୍କ ସହ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ବାସୁଦେବପୁରରେ ଆଶ୍ରୟ ସ୍ଥଳ ଓ ବାତ୍ୟା ପ୍ରସ୍ତୁତି ଅନୁଧ୍ୟାନ ପରେ ରାତିରୁ ଧାମରାରେ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗୁରୁବାର ଧାମରା ଓ ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ବୁଲି ଲୋକଙ୍କୁ ସାକ୍ଷାତ କରି ସମସ୍ୟା ବୁଝିଛନ୍ତି । ଆଶ୍ରୟସ୍ଥଳରେ ଖାଦ୍ୟ, ପାନୀୟ, ଔଷଧ, ଶିଶୁ ଖାଦ୍ୟ, ଗୋଖାଦ୍ୟ, ଆଲୋକ ବ୍ୟବସ୍ଥା ବିଷୟରେ ପ୍ରଶାସନିକ ଅଧିକାରୀ ଓ ସୁପରଭାଜିଙ୍ଗ ଅଧିକାରୀମାନଙ୍କଠାରୁ ପଚାରି ବୁଝିଛନ୍ତି । କଚ୍ଚା ଘର ଓ ତଳିଆ ଅଞ୍ଚଳର ଲୋକଙ୍କୁ ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ବୁଝାସୁଝା କରି ଆଶ୍ରୟସ୍ଥଳକୁ ନେବାପାଇଁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଘରେ ଜିନିଷ ପତ୍ର ଛାଡି ଆସିବାକୁ ଅରାଜି ହେଉଛନ୍ତି, ଆବଶ୍ୟକ ସ୍ଥଳେ ପୋଲିସ ସହାୟତା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚାନ୍ଦବାଲିରେ ମନ୍ତ୍ରୀ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ l ବୈଠକରେ ଏମପି ଅଭିମନ୍ୟୁ ସେଠୀଙ୍କ ସମେତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share