ମନ୍ତ୍ରୀ ଟୁକୁନି ସାହୁଙ୍କ ଅଚାନକ ବାଲିମେଳା ଗସ୍ତ

କୋରୁକୋଣ୍ଡା,୨୫ା୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ପୋଟେରୁ ଜଳସେଚନ ପ୍ରକଳ୍ପର ସୋଲୁକୋଣ୍ଡା ବ୍ୟାରେଜ ଓ ମେଗା ଲିଫ୍ଟକୁ ଅଚାନକ ଗସ୍ତ କରିଛନ୍ତି ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ଶନିବାର ପୋଟେରୁ ଜଳସେଚନର ସୋଲକୋଣ୍ଡା ବ୍ୟାରେଜକୁ ଯାଇ ସେଠାରେ ଥିବା ଦୁଇଟି କେନାଲ ଗମ୍ଫାକୋଣ୍ଡା ଓ ତମସା କେନାଲର ଅନୁଧ୍ୟାନ କରିଥିଲେ।

ମେଗାଲିଫ୍ଟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏହି ପ୍ରକଳ୍ପ ମାଧ୍ୟମରେ ୨୮ଟି ଗ୍ରାମ ଯଥା ୫୨୦୦ ହେକ୍ଟର ଚାଷଜମିରେ ଉଠା ଜଳସେଚନ ହୋଇପାରିବ। ଫଳରେ ୨୮ ଗ୍ରାମର ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ଏହାପରେ ବାଲିମେଳାସ୍ଥିତ ୮୮ ବାଟାଲିୟନ ସୀମାସୁରକ୍ଷା ବାହିନୀର କମାଣ୍ଡାଣ୍ଟ ବିନୋଦ ସାରିନ ମନ୍ତ୍ରୀଙ୍କୁ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାଟ୍ରୋଲିଂ ନିମନ୍ତେ ବାଲିମେଳା ଜଳଭଣ୍ଡାରରେ ମଟର ବୋଟ୍‌ର ଅବଶ୍ୟକତା ବିଷୟରେ ଜଣାଇଥିଲେ। ଏହି ଗସ୍ତ ସମୟରେ ମାଲକାନଗିରି ଜିଲାପାଳ ବିଶାଳ ସିଂ, ପୋଟେରୁ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଚନ୍ଦ୍ରଶେଖର ମିଶ୍ର,ପୋଟେରୁ ଅଧୀକ୍ଷଣ ଯନ୍ତ୍ରୀ ଅଭିରାମ ବେହୁରିଆ ଓ ଅନ୍ୟ ବିଭାଜନର ଯନ୍ତ୍ରୀ ଉପସ୍ଥିତ ଥିଲେ ।