ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆଉ ଆମେ..

ଉମରକୋଟ, ୨୯।୧୧(ସ୍ବ.ପ୍ର.): ସ୍ମାର୍ଟ ହେଲ୍‌ଥ କାର୍ଡ ଖାଲି ମନ୍ତ୍ରୀ ବାଣ୍ଟିବେ, ଆମେ କ’ଣ ଲୋକ ପ୍ରତିନିଧି ନୁହଁ। ଦିନ ରାତି ଲୋକଙ୍କ ପାଇଁ ଖଟୁଛୁ। ମନ୍ତ୍ରୀ ଦିନକ ପାଇଁ ଆସିଛନ୍ତି ଚାଲିଯିବେ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରାଙ୍କ ଆଗରେ ମଞ୍ଚ ପରିଚାଳନା କରୁଥିବା ରାଇଘର ବିଡିଓଙ୍କୁ ରାଗିକି କହିଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ନବରଙ୍ଗପୁର ଜିଲା ରାଇଘର ବ୍ଲକ ହାଟଭରଣ୍ଡିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ତୃଣମୂଳସ୍ତରରୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ପାଇଁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ରାଇଘର ବ୍ଲକ ଗସ୍ତ କରିଥିଲେ। ରାଇଘର ବ୍ଲକର ୬ଟି ପଞ୍ଚାୟତ ୬ ଗାଁରେ ୧୧୭୦ଜଣଙ୍କୁ ସ୍ମାର୍ଟ ହେଲ୍‌ଥକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ପ୍ରଥମ କାର୍ଯ୍ୟକ୍ରମ ହାଟଭରଣ୍ଡିରେ ରହିଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଭାଜପା ଜିଲା ପରିଷଦ ଜୋନ୍‌ -୧ ସଭ୍ୟ ଦେଓ କୁମାରୀ ଗଣ୍ଡ, ହାଟଭରଣ୍ଡି ସରପଞ୍ଚ ମନସୁରାମ ଗଣ୍ଡଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଡିଓ ଦେବେନ୍ଦ୍ର କୁମାର ବଳ ପରିଚାଳନା କରୁଥିଲେ। କିନ୍ତୁ ହିତାଧିକାରୀଙ୍କୁ ମନ୍ତ୍ରୀ ହିଁ ହେଲ୍‌ଥ କାର୍ଡ ବଣ୍ଟନ କରୁଥିବା ନେଇ ବିଧାୟକ ଅଭିଯୋଗ କରି ବିଡିଓଙ୍କ ଉପରେ ବର୍ଷିଥିଲେ। ଜିଲାରେ ଡାକ୍ତର ମରୁଡି ଥିବା ବେଳେ ଭିତ୍ତିଭୂମୀର ଅଭାବ ରହିଛି। ଡାକ୍ତର ପଦବୀ ପୂରଣ ନ କରି ବିନା ଟଙ୍କାର କାର୍ଡ ବାଣ୍ଟି ପ୍ରହସନ କରୁଥିବା ନେଇ ବିଜେଡି ସରକାରଙ୍କ ବିଜୁ କଲ୍ୟାଣ ଯୋଜନାକୁ ଟାର୍ଗେଟ କରି କହିଥିଲେ। ଏହି କାର୍ଯ୍ୟକ୍ରମ ପରେ ଅନ୍ୟ ୫ଟି ସ୍ଥାନରେ ମନ୍ତ୍ରୀ, ବିଧାୟକଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯାଇ କାର୍ଡ ବାଣ୍ଟିବା ପାଇଁ ସୁଯୋଗ ମିଳିବା ପରେ ଭାଜପା ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଥଣ୍ଡା ପଡିଥିଲେ।

Share