Categories: ଜାତୀୟ

ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: ସେଲିବ୍ରିଟିମାନେ ଘରୋଇ ହସ୍ପିଟାଲରେ ମାଡିବସିଛନ୍ତି ଶଯ୍ୟା

ମୁମ୍ବାଇ,୧୩।୪: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କରୋନା ସଂକ୍ରମଣର ଗମ୍ଭୀର ଲକ୍ଷଣ ନ ଥିବା ସତ୍ତ୍ୱେ କିଛି ସେଲିବ୍ରିଟି ଲୋକ ଏବଂ କ୍ରିକେଟରଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜ୍ୟ ବୟନ ଶିଳ୍ପ ମନ୍ତ୍ରୀ ଶେଖ ଦାବି କରିଛନ୍ତି ଯେ ଚଳଚ୍ଚିତ୍ର ଶିଳ୍ପ ତଥା କ୍ରିକେଟ ଖେଳାଳିମାନେ ଦୀର୍ଘ ଦିନ ଧରି ପ୍ରମୁଖ ଘରୋଇ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଘେରି ରହିଛନ୍ତି। ସଂକ୍ରମଣର ସାମାନ୍ୟ ଲକ୍ଷଣ ଥାଇ ମଧ୍ୟ ଦୀର୍ଘ ଦିନ ଧରି ଶଯ୍ୟାରେ ଅଛନ୍ତି। ଯଦି ଏହି ଲୋକମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ଠାରୁ ଦୂରେଇ ରହିଥାନ୍ତେ, ତେବେ କରୋନାରେ ପୀଡିତ ଅଭାବୀ ରୋଗୀଙ୍କୁ ରାଜ୍ୟରେ ଭର୍ତ୍ତି କରାଯାଇ ପାରିଥାନ୍ତା। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଶଯ୍ୟା ମଧ୍ୟ ଅଭାବ ପଡିଛି।

Share